**କେଗାଁ-ସିନାପାଲି ରାସ୍ତା ମରାମତିରେ ନିମ୍ନମାନର ଅଭିଯୋଗ।
**ଏପଟେ ପିଚୁ କାମ ଚାଲିଛି ସେପଟେ ଉପୁଡି ଯାଉଛି ପିଚୁ
କଳାହାଣ୍ଡି,୯|୪(ପ୍ୟାରିଲାଲ ଦୁର୍ଗା): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଠାରୁ ସିନାପାଲି ରାସ୍ତା ଦୀର୍ଘ ଦିନ ଧରି ଖାଲଖମାରେ ଭର୍ତ୍ତି ହୋଇ ରହିଥିଲା, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶେଷରେ, ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଉକ୍ତ ରାସ୍ତା ମରାମତି ପାଇଁ ପଦକ୍ଷେପ ନିଆଯାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ, ୨ କିଲୋମିଟର ୮୦୦ ମିଟର ରାସ୍ତା ମରାମତି ସକାଶେ ୩୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା । ତେବେ, ଏହି କାର୍ଯ୍ୟ ଆରମ୍ଭ ହେବା ପରେ ହିଁ ଏହାର ନିମ୍ନମାନକୁ ନେଇ ଅଭିଯୋଗ ଉଠିଛି ।ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ରାସ୍ତା ମରାମତି କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର ମାନ ଅତ୍ୟନ୍ତ ନିକୃଷ୍ଟ ଏବଂ ନିର୍ମାଣ ଶୈଳୀ ମଧ୍ୟ ତ୍ରୁଟିପୂର୍ଣ୍ଣ । ଏଭଳି ନିମ୍ନମାନର କାର୍ଯ୍ୟ ଯୋଗୁଁ ଗତକାଲି ହୋଇଥିବା ରାସ୍ତାଟିର ପିଚୁ ଉପୁଡି ଯାଇଥିବା ଦେଖିବାକୁ ମିଳିଛି । ଏପରି କାମ ହୁଏ ଅଳ୍ପଦିନ ମଧ୍ୟରେ ପୁଣି ପୂର୍ବାବସ୍ଥାକୁ ଫେରିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଘଟଣା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଳି ନୀତିକୁ ପୁଣିଥରେ ପଦାରେ ପକାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ଆସୁଥିବା ଅନୁଦାନକୁ ସଠିକ୍ ଭାବେ ବିନିଯୋଗ ନକରି, କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି ।ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।ଯଦି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଯାଏ, ତେବେ କେଗାଁ-ସିନାପାଲି ରାସ୍ତା ପୁଣି ଥରେ ମରଣଯନ୍ତା ପାଲଟିଯିବାର ସମ୍ଭାବନା ରହିଛି । ଏନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଠାରୁ କୌଣସି ପ୍ରତକ୍ରିୟା ମିଳିପାରିନାହିଁ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି