କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଦିନକୁ ଦିନ ଜଟିଳ ହେଉଛି ପାର୍କିଂ ସମସ୍ୟା । ଲୋକ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ପରିମାଣରେ ପାର୍କିଂ ପାଇଁ ସୁବିଧା ନଥିବାରୁ ଲୋକମାନେ ହସ୍ପିଟାଲ ବାହାରେ ନିଜ ଗାଡ଼ି ପାର୍କିଂ କରୁଛନ୍ତି । ଯେତିକି ପାର୍କିଂ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରି ମଧ୍ୟ ବଢ଼ୁଛି । ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ପ୍ରାୟ ସାଢ଼େ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି । କେହି ଜିଲ୍ଲା ବାହାରୁ ଆସୁଛନ୍ତି ତ ଆଉ କିଏ ଭୁବନେଶ୍ୱରରୁ ଆସୁଛନ୍ତି । ଅଧିକାଂଶ ରୋଗୀ ବାଇକ୍ ଓ କାର ଯୋଗେ ଆସୁଛନ୍ତି । କିନ୍ତୁ ହସ୍ପିଟାଲ୍ ପରିସରରେ ପାର୍କିଂ ପାଇଁ ସୁବିଧା ନାହିଁ । ଯାହାକୁ ନେଇ ରୋଗୀ ଓ ତାଙ୍କ ପରିଜନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଉଛି । ଫଳରେ ରୋଗୀମାନେ ରାସ୍ତା କଡ଼ରେ ବାଇକ୍ ରଖୁଛନ୍ତି । ବାହାରେ କାର ପାର୍କିଂ କରୁଛନ୍ତି । ଅସୁରକ୍ଷିତ ପାର୍କିଂ ହେତୁ କ୍ୟାପିଟାଲ ହସ୍ପିଟାଲରୁ ବାଇକ୍ ଚୋରି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ମାସରେ ହସ୍ପିଟାଲ ପରିସରରୁ ପ୍ରାୟ ୩ଟି ବାଇକ୍ ଚୋରି ହୋଇଥିବା ଜଣାପଡ଼ିଛି । କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୧୦୦୦ରୁ ଅଧିକ ଯାନବାହନ ଆସୁଛି । ହସ୍ପିଟାଲ କର୍ମଚାରୀ ଓ ପୁଲିସ୍ ଭ୍ୟାନ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ । କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖରେ ଛୋଟ ପାର୍କିଂ ସ୍ଥଳ ରହିଛି । ସେଠି ଅତିବେଶିରେ ୧୦୦ ଗାଡ଼ି ରହିଲେ ପାର୍କିଂ ପୂରା ହେଇଯାଉଛି । ଫଳରେ ଲୋକମାନେ ଆହାର କେନ୍ଦ୍ର ସମ୍ମୁଖରେ, ୩ ନଂ ଗେଟ୍ ରାସ୍ତା କଡ଼ରେ, ଶିଶୁ ଭବନ ପଛରେ ଥିବା ଔଷଧ କେନ୍ଦ୍ର ସମ୍ମୁଖରେ ବାଇକ୍ ପାର୍କିଂ କରୁଛନ୍ତି । ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାଇକ୍ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହସ୍ପିଟାଲ ପରିସରରେ ଏକ ବହୁ ତଳ ପାର୍କିଂ ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି । ଖୁବ୍ ଶୀଘ୍ର ପାର୍କିଂ ସମସ୍ୟାର ସମାଧାନ କରାଯିବ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News