ଦ୍ୱାରକାରେ ବୁଡ଼ ପକାଇଲେ ମୋଦି

ଦ୍ୱାରକା: ଗୁଜରାଟର ଦ୍ୱାରକାରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମୁଦ୍ର ଭିତରକୁ ଯାଇ କରିଛନ୍ତି ପୂଜାର୍ଚ୍ଚନା । ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ତାଙ୍କୁ ମୟୂର ପୁଛ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୁଦ୍ର ଭିତରେ ଏଭଳି ପୂଜା କରିବା ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।କୁହାଯାଏ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସାମ୍ରାଜ୍ୟ ଥିଲା ଦ୍ୱାରକା । ପୁରାଣ ଅନୁସାରେ ଦ୍ୱାରକା ଥିଲା ଐଶ୍ୱର୍ଯ୍ୟର ନଗରୀ । ବର୍ତ୍ତମାନ ତାହା ଜଳମଗ୍ନ ଅଛି । ଦ୍ୱାରକା ସହିତ ହିନ୍ଦୁ ଧର୍ମର ନିବିଡ଼ ସଂପର୍କ ରହିଛି । ଆଜି ଗୁଜରାଟ ଗସ୍ତ ଅବସରରେ ଆରବ ସାଗରରେ ଡାଇଭିଂ କରି ସେଇ ଦ୍ୱାରକା ନଗରୀକୁ ଯାଇଥିଲେ ମୋଦି । ସେଠାକୁ ଯାଇ ସେ ପୂଜାର୍ଚ୍ଚନା କରିଥିଲେ । ବିଶେଷକଥା ହେଉଛି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ମୋଦି ନିଜ ସହ ମୟୂର ପୁଛ ମଧ୍ୟ ନେଇ ଯାଇଥିଲେ । ଏହି ଅବସରରେ ମୋଦି କହିଛନ୍ତି ଯେ, ‘ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି । ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା । ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି । ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।’ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଦ୍ୱାରକା ସ୍ଥିତ ମନ୍ଦିରକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଓଖାକୁ ବେଟ୍ ଦ୍ୱାରକା ସହ ସଂଯୋଗ କରୁଥିବା ୨.୩୨ କିଲୋମିଟର ଲମ୍ବ ସୁଦର୍ଶନ ସେତୁର ଉଦ୍ଘାଟନ କରିଥିଲେ । ଏହା ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ, ଯାହାକୁ ୯୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News