ଭୁବନେଶ୍ୱର| ୨୪ ମାର୍ଚ୍ଚ, ୨୦୨୬ ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ଠାରେ “ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଏକ ବିଶ୍ୱସ୍ତରୀୟ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ୍ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି। ଓଡ଼ିଶାକୁ ଦେଶର ‘କ୍ରୀଡ଼ା ରାଜଧାନୀ’ ଭାବେ ପୁଣିଥରେ ପ୍ରମାଣିତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ନ୍ୟାସନାଲ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ର ଆୟୋଜନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଇନଡୋର ହଲ୍କୁ ନେଇ ଉଠୁଥିବା ସମସ୍ତ ପ୍ରଶ୍ନର ଅନ୍ତ ଘଟିଛି ଏବଂ ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ୍ ପାଇଁ ମାର୍ଗ ପ୍ରଶସ୍ତ କରିଛି। ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ସେ ଗୌରବର ସହ ଉପସ୍ଥାପିତ କରିଛନ୍ତି। ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ବାହାଦୁର ସିଂହ ସାଗୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଭାରତର କ୍ରୀଡ଼ା ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ସମଗ୍ର ଦେଶରେ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଭାବେ ଏଭଳି ବିଶ୍ୱସ୍ତରୀୟ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରିଛି। ଉଦଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନେଲସନ ଲାକ୍ରା, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ଭାରତୀୟ ଆଥଲେଟିକ୍ସ ମହାସଂଘର ବୈଷୟିକ ଅଧିକାରୀ ଏବଂ କୋଷାଧ୍ୟକ୍ଷ ଶ୍ରୀ ଷ୍ଟାନଲି ଜୋନ୍ସ, ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ସଭାପତି ଶ୍ରୀ ଆଦିଲ ସୁମାରିୱାଲା, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ ସଭାପତି ଡ. ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ) ଶ୍ରୀ ଅଭିଜିତ ପଲ୍ ପ୍ରମୁଖ ମଞ୍ଚାସୀନ ଥିଲେ ।
ଅଭିନାଶ ସାଗର
ଲୋକସମ୍ପର୍କ ଅଧିକାରୀ