କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମାପଲା ଗ୍ରାମବାସୀ ଉତ୍କଟ ଜଳ ସମସ୍ୟା ଦେଇ ଜୀବନ ଯାପନ କରୁଛନ୍ତି । ଫଳରେ ଗ୍ରାମବାସୀ ଙ୍କ ପାଇଁ ଝରଣା ଜଳ ହିଁ ଏକମାତ୍ର ଭରସା । ଯଦ୍ବାରା ଅନେକ ସମୟରେ ଜଳବାହିତ ରୋଗର ଶୀକାର ହୋଇ ମୃତ୍ୟୁ ବରଣ କରିଥାଆନ୍ତି। ଗ୍ରାମରେ ଦୀର୍ଘ ତିନି ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଯୋଜନାରେ ପ୍ରାୟ ୫୫ ଲକ୍ଷ ଟଙ୍କା ଅନୁଦାନରେ ପାଣି ଟାଙ୍କିର ନିର୍ମାଣ କରାଯାଇଛି। ରାସ୍ତା କଡ଼ର ସ୍ଥାନେ ସ୍ଥାନେ ନଳ ଜଳ ପାଇଁ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି, କିନ୍ତୁ ସେଥିରୁ ଜଳ ଯୋଗାଇ ଦିଆଯାଉ ନାହିଁ ।

ଫଳରେ ମହିଳା ମାନେ ଗ୍ରାମର ଅଳ୍ପ ଦୂରରେ ବୋହି ଯାଉଥିବା ଝରଣା ଜଳକୁ ବର୍ଷ ତମାମ ପାନୀୟ ଜଳ ଓ ଦୈନନ୍ଦିନ ନିତ୍ୟକର୍ମ ପାଇଁ ବ୍ୟବହାର କରିବାକୁ ବାଧ୍ୟ ହୋଇ ଥାଆନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀ ଙ୍କ ପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଜରୁରୀ କାଳୀନ ସ୍ଵାସ୍ଥ୍ୟ ସେବା ନିମନ୍ତେ ଆମ୍ବୁଲାନ୍ସ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଗାଁ ରେ ମୋବାଇଲ୍ ଟାୱାର ଟିଏ ନ ଥିବାରୁ ପ୍ରାୟ ଦୁଇ କି:ମି ଦୂରରେ ଥିବା ପାହାଡ଼ ଶିଖରକୁ ଚଢ଼ିବାକୁ ପଡିଥାଏ ବୋଲି ସମାପଲା ଗ୍ରାମବାସୀ କ୍ଷୋଭ ପ୍ରକଟ କରିଛନ୍ତି । ଏନେଇ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କାହାର ସୁଦୃଷ୍ଟି ପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାମବାସୀ ଗଣମାଧ୍ୟମ ଆଗରେ ନିଜର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଛନ୍ତି।

କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ