ତୁର୍କା ଗାଁ କୁ ନିୟମିତ ପାନୀୟ ଜଳ ଓ ବିଜୁଳି ମିଳିବ କେବେ ?

ଭବାନୀପାଟଣା, ଉତ୍କଳ ବୁଲେଟିନ (ଜଗନ୍ନାଥ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଆଦିବାସୀ ତୁର୍କା ଗାଁ ସମସ୍ୟା ଘେରରେ ରହିଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନ କରିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଲାଞ୍ଜିଗଡ଼ ବ୍ଲକ ସଦର ମହକୁମାରୁ ୩୫

କିମି ଦୂର ତଥା ଲାଞ୍ଜି ପଞ୍ଚାୟତ କାର୍ଯ୍ୟାଳୟରୁ ୧୬ କିମି ଦୂରରେ ରହିଛି ତୁର୍କା ଗାଁ। ଗାଁରେ ୧୦୦ ବର୍ଷ ପୂର୍ବରୁ ୩୦ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି ଏଠାର ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବିଜୁଳି ଓ ପାନୀୟ ଜଳ ଏଠିକାର ମୁଖ୍ୟ ସମସ୍ୟା ରହିଛି। ଗାଁର ଏହି ସବୁ ସମସ୍ୟା ନେଇ ୨୦୨୨ ଜାନୁଆରି ୨୬ ତାରିଖ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ବି ଲଗାତାର ପ୍ରକାଶ ପାଇଥିଲା। ଏହାକୁ ନେଇ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ସମେତ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଗାଁକୁ ଯିବା ଆରମ୍ଭ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ନେଇ କିଛି ପରିବର୍ତନ ହୋଇଛି କିନ୍ତୁ ସୌର ଚାଳିତ ଜଳ ଯୋଗାଣ ପାଇଁ ଗଭୀର ନଳକୂପ ସହ ପାଣି ଟାଙ୍କି ଗାଁରେ ବସିଲା କିନ୍ତୁ ଗୋଟିଏ ମାସ ଠିକ୍ ଭାବେ ଲୋକେ ପାନୀୟ ଜଳ ବ୍ୟବହାର କରିବା ପରେ ଆଜିକୁ ୨ ମାସ ହେଲା ଅଚଳ ହୋଇ ପଡିଛି। ଗାଁରେ ଗୋଟିଏ ନଳକୂଅ ଥିବା ବେଳେ ଠିକ୍ ଭାବରେ ପାଣି ବାହାରୁ ନାହିଁ। ଫଳରେ ନିକଟ ତୁରଙ୍ଗିଗୁଡ଼ା ନାଳ ପାଣି ଉପରେ ଗାଁ ଲୋକେ ଭରସା କରୁଛନ୍ତି। ସେହିଭଳି ଗାଁରେ ବିଜୁଳି ସଂଯୋଗ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ହୋଇଛି ବୋଲି ଗାଁ ଲୋକଙ୍କୁ କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ।ଏହାକୁ ନେଇ ସରପଞ୍ଚ ଯମୁନା ମାଝୀଙ୍କୁ ଅଭିଯୋଗ କରାଯାଇଛି। କିନ୍ତୁ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ବ୍ଲକ ଜଳ ଯୋଗାଣ ଦାୟିତ୍ବରେ ଯନ୍ତ୍ରୀ ମୋହନ ଚରଣ ସିହାଳଙ୍କୁ ପଚାରିବାରୁ, ସେ ଅଭିଯୋଗ ପାଇଥିବା କହିଛନ୍ତି। ସୌର ଯାନ୍ତ୍ରିକ ତ୍ରୁଟି ରହିଛି। ଯଥାଶୀଘ୍ର ତାହାର ମରାମତି କରି ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକାଶ କରିଥିଲେ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page