- ପ୍ରିୟଙ୍କା ମହାନ୍ତି
ସମଗ୍ର ଓଡ଼ିଶାରେ ଯେତେ ସବୁ ସ୍ଥାନରେ ଦୋଳ ମେଳଣ ଅନୁଷ୍ଠିତ ହୁଏ, ସେଥିମଧ୍ୟରୁ ବାଳକାଟୀ ପଞ୍ଚୁଦୋଳ ମେଳଣ ସ୍ୱତନ୍ତ୍ର। କାରଣ ଏହା ପଛରେ ଏକ ଐତିହାସିକ ଭିତ୍ତିଭୂମି ଅଛି। ଓଡ଼ିଶାର ପ୍ରସିଦ୍ଧ ଜୟଦେବ ନିର୍ବାନମଣ୍ଡଳୀରେ ବାଳକାଟୀ ଅନ୍ତର୍ଭୁକ୍ତ। ଯଦିଓ ସମଗ୍ର ଭାରତବର୍ଷରେ ଶ୍ରୀଚୈତନ୍ୟ ମହାପ୍ରଭୁ ଓ ତାଙ୍କର ଷଡ଼ଗୋସ୍ୱାମୀମାନଙ୍କ ଦ୍ୱାରା ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରେମଭକ୍ତି ମାର୍ଗ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇଥିଲା, ତଥାପି ଜୟଦେବର ଭକ୍ତକବି ଜୟଦେବ ଦ୍ୱାଦଶ ଶତାବ୍ଦୀରେ ଗୀତଗୋବିନ୍ଦ ରଚନା କରି ସମଗ୍ର ଭାରତବର୍ଷରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଉପାସନା ଏବଂ ପ୍ରେମଭକ୍ତିର ଉପାସ୍ୟ ଦେବତା ରାଧାକୃଷ୍ଣଙ୍କର ଉପାସନା ପ୍ରତିଷ୍ଠା ଲାଭ କରିସାରିଥିଲା। କିନ୍ତୁ ୧୫୧୦ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଶ୍ରୀଚୈତନ୍ୟ ମହାପ୍ରଭୁ ପୁରୁଣା ଜଗନ୍ନାଥ ସଡ଼କରେ ଆସି ଆମରି ବାଳକାଟୀ ଠାରେ କିଛି ସମୟ ବିଶ୍ରାମ ନେଇଥିଲେ, ଏହାର ପ୍ରମାଣ ସ୍ୱରୂପ ଅଦ୍ୟାବଧି ବାଳକାଟୀର ପ୍ରସିଦ୍ଧ ଶ୍ରୀ ମଦନମୋହନ ମଠରେ ନିତାଇ ଗୌରାଙ୍ଗଙ୍କ ମୂର୍ତ୍ତି ଉପାସନା ସହିତ ସେ ଛାଡ଼ିଯାଇଥିବା କଠାଉ ଓ ଯଷ୍ଟି ଏପର୍ଯ୍ୟନ୍ତ ବିଦ୍ୟମାନ ଅଛନ୍ତି। ଏଥିସହିତ ତତ୍କାଳୀନ ଗଜପତି ରାଜା ପ୍ରତାପରୁଦ୍ର ଦେବ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ଏବଂ ତାଙ୍କରି ନାମରେ ବାଳକାଟୀଠାରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା ହୋଇଥିଲା, ଯାହା ଅଦ୍ୟାବଧି ବାଳକାଟୀର ପ୍ରତାପଶାସନ ରାଜସ୍ୱ ଗ୍ରାମ ପ୍ରତାପଶାସନ ନାମରେ ନାମିତ ହୋଇଆସୁଅଛି। ଏଠାରେ ଉଲ୍ଲେଖ ଯୋଗ୍ୟ ସର୍ବପ୍ରଥମେ ଏହି ବାଳକାଟୀ ଅଞ୍ଚଳରେ ଶ୍ରୀଚୈତନ୍ୟଙ୍କର ପ୍ରେମଭକ୍ତିର ପ୍ରଚାର ପ୍ରସାର ପାଇଁ କଂସମାରୁଣି ଯାତ୍ରା, ପଞ୍ଚୁଦୋଳ ମେଳଣ, ନାମ ସଂକୀର୍ତ୍ତନ, ନିତାଇ ଗୌରାଙ୍ଗ ମୂର୍ତ୍ତି ପୂଜନ, ଗଜପତି ମହାରାଜାଙ୍କର ପୃଷ୍ଠପୋଷକତାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଓଡ଼ିଶାର ଧାର୍ମିକ ପରମ୍ପରାରେ ବାଳକାଟୀର ଏକ ସ୍ୱତନ୍ତ୍ର ଐତିହାସିକ ମର୍ଯ୍ୟାଦା ରହିଛି। ସେହି ପରମ୍ପରାକୁ ଅନୁସରଣ କରି ବାଳକାଟୀର ପଞ୍ଚୁଦୋଳ ମେଳଣ ବହୁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆସୁଅଛି। ଏହି ଦୃଷ୍ଟିରୁ ଆମେ ବାଳକାଟୀର ପଞ୍ଚୁଦୋଳ ମେଳଣକୁ ଏକ ଐତିହାସିକ ମେଳଣ ଭାବରେ ଉପସ୍ଥାପନ କରିଆସୁଛୁ। ପଞ୍ଚୁଦୋଳ ମେଳଣର ସ୍ୱତନ୍ତ୍ରତା :- ଓଡ଼ିଶାରେ ଯେତେ ସବୁ ମେଳଣ ରହିଛି, ଆମର ଶ୍ରୀକ୍ଷେତ୍ର ପରିବ୍ୟାପ୍ତ ଅଞ୍ଚଳରେ ଗୋଟେ ଜନସ୍ମୃତି ରହିଛି, ଯାହାହେଲା – ବଳଙ୍ଗା ଦୋଳ, ହରିରାଜପୁର ବାଣ ଏବଂ ବାଳକାଟୀ ଫଗୁ ପାଇଁ ପ୍ରସିଦ୍ଧ। ଏହା ବାସ୍ତବରେ ସତ୍ୟ। ଆମର ଯେଉଁ ତିନିଦିନ ପଞ୍ଚୁଦୋଳ ମେଳଣ ହୁଏ, ସେଥିରେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଅବିର ଏବଂ ହୋଲି ଖେଳକୁ ପ୍ରାଧାନ୍ୟ ଦିଆଯାଏ। ଭକ୍ତମାନେ ଅତି ଆନନ୍ଦ ଉଲ୍ଲାସ ମନରେ ବିଭିନ୍ନ ଗ୍ରାମରୁ ଆସିଥିବା ଦୋଳରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ପାଦରେ ବିଭିନ୍ନ ରଙ୍ଗବେରଙ୍ଗର ଅବିର ଦିଆଯାଏ। ମେଳଣର ଶେଷଦିନ ହରିହର ଭେଟ ସମୟରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଏବଂ ଜନସାଧାରଣ ପରସ୍ପର ମଧ୍ୟରେ ରଙ୍ଗ ଖେଳନ୍ତି ଏବଂ ଦୋଳମାନଙ୍କରେ ବିରାଜମାନ କରିଥିବା ଭଗବାନଙ୍କୁ ମଧ୍ୟ ରଙ୍ଗ ଅବିରରେ ବୁଡ଼ାଇ ଦିଅନ୍ତି। ଏହି ସମୟରେ ପରିବେଶକୁ ଆହୁରି ସୁନ୍ଦର ଏବଂ ମନୋମୁଗ୍ଧକର କରିବା ପାଇଁ ବିଭିନ୍ନ ରଙ୍ଗବେରଙ୍ଗର ଫୁଲବାଣ ମଧ୍ୟ ଫୁଟାଯାଏ। ବାଳକାଟୀ ପଞ୍ଚାୟତ ଦ୍ୱାରା ବା ସମଗ୍ର ଅଞ୍ଚଳର ମୁରବୀମାନଙ୍କ ପୃଷ୍ଠପୋଷକତାରେ ଏହି ମେଳଣ ଅନୁଷ୍ଠିତ ହୋଇ ଆସୁଥିବାରୁ ଏହାର ନାମ ପଞ୍ଚୁଦୋଳ ନାମରେ ବିଖ୍ୟାତ। ପଞ୍ଚୁଦୋଳ ମେଳଣର ଥାନପତି ଓ ଦୋଳ ନିମନ୍ତ୍ରଣ : ବାଳକାଟୀର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ହେଲେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ। ସ୍ୱପ୍ନେଶ୍ୱର ମହାଦେବଙ୍କ ନାମରେ ବାଳକାଟୀର ପୂର୍ବ, ପଶ୍ଚିମ ଏବଂ ଉତ୍ତର, ଦକ୍ଷିଣ ଦିଗରେ ଥିବା ବିଭିନ୍ନ ଗ୍ରାମମାନଙ୍କର ଦୋଳକୁ ନିମନ୍ତ୍ରଣ କରିବା ପାଇଁ ଗୁଆ, ଅରୁଆ ଚାଉଳ, ଚିଟାଉ ପଠାଯାଏ। ସେହି ସବୁ ଗ୍ରାମର ମୁରବୀମାନେ ନିମନ୍ତ୍ରଣକୁ ରକ୍ଷା କରି ସେମାନଙ୍କ ଗ୍ରାମର ଆରାଧ୍ୟ ଦେବତା ରାଧାକୃଷ୍ଣଙ୍କୁ ବିଭିନ୍ନ ସାଜସଜାରେ ସଜାଇ ଦୋଳ ବିମାନରେ ବସାଇ ବାଜାବାଣ ସହିତ ବାଳକାଟୀର ମେଳଣ ପଡ଼ିଆକୁ ଆଣନ୍ତି। ପୂର୍ବରୁ ଏଠାକୁ ୧୦୮ ଦୋଳ ଆସୁଥିଲେ। ବର୍ତ୍ତମାନ ତାହା କମି କମି ୫୩ ଦୋଳରେ ରହିଚନ୍ତି। ଥାନପତି ସ୍ୱପ୍ନେଶ୍ୱର ମହାଦେବଙ୍କର ନିମନ୍ତ୍ରଣରେ ଏହିସବୁ ଦୋଳମାନେ ବିରାଜମାନ କରିଥାନ୍ତି। ଏହି ଦୋଳମାନେ ଏଠାରେ ତିନିଦିନ ରହନ୍ତି। ମେଳଣ ସମୟରେ ବିଭିନ୍ନ ମର୍ଯ୍ୟାଦାର ସହିତ ଆତିଥ୍ୟ ପ୍ରଦାନ କରାଯାଏ। ଏହି ପରମ୍ପରା ବହୁକାଳରୁ ଚଳିଆସୁଛି। ଏହାଦ୍ୱାରା ବାଳକାଟୀ ଏବଂ ତା’ର ଆଖପାଖ ଗ୍ରାମମାନଙ୍କର ମଧ୍ୟରେ ମଧୁର ସମ୍ପର୍କ ସ୍ଥାପିତ ହୁଏ। ଏହି ମେଳଣ ସମଗ୍ର ଅଞ୍ଚଳର ଅଧିବାସୀମାନଙ୍କୁ ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରେମ, ଭକ୍ତି ଏବଂ ଭ୍ରାତୃତ୍ୱ ଭାବର ବନ୍ଧନରେ କେଉଁ ପ୍ରାଚୀନ କାଳରୁ ବାନ୍ଧିଆସିଛି। ଏହି ଦୃଷ୍ଟିରୁ ବାଳକାଟୀ ଅଞ୍ଚଳର ଅଧିବାସୀମାନଙ୍କ ମଧ୍ୟରେ ପଞ୍ଚୁଦୋଳ ମେଳଣ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଥାନପତି ଓ ଅନ୍ୟାନ୍ୟ ଦୋଳମାନଙ୍କର ଗ୍ରାମର ପରିଭ୍ରମଣ : ଏହି ମେଳଣ ସମୟରେ ସବୁଠାରୁ ବଡ଼ ଓ ଆନନ୍ଦର ବିଷୟ ହେଲା, ଆମେ ସବୁବେଳେ ଭଗବାନଙ୍କ ପାଖକୁ ଯାଉ, କିନ୍ତୁ ବର୍ଷକୁ ଥରେ ଏହି ମେଳଣ ସମୟରେ ଭଗବାନ ମଧ୍ୟ ଆମ ଦୁଆରକୁ ଆସନ୍ତି। ଏହି ସମୟରେ ବାଳକାଟୀର ପ୍ରତି ଗ୍ରାମରେ, ପ୍ରତି ପରିବାରରେ ଓ ବ୍ୟକ୍ତି ଜୀବନରେ ଆନନ୍ଦର ସୀମା ରହେ ନାହିଁ। କାରଣ ବର୍ଷକୁ ଥରେ ଭଗବାନ ଦୋଳ ବିମାନରେ ପ୍ରତି ବ୍ୟକ୍ତିଙ୍କ ଦୁଆରେ ଭୋଗ ଖାଇବାକୁ ଯାଆନ୍ତି। ଏହି ପରମ୍ପରାରେ ସମଗ୍ର ପଞ୍ଚୁଦୋଳରେ ଯୋଗ ଦେଉଥିବା ଦୋଳମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ ଥାନପତି ହେଲେ ସ୍ୱପ୍ନେଶ୍ୱର ମହାଦେବ, ତାଙ୍କ ଦୋଳ ସର୍ବପ୍ରଥମେ ଉଠେ ଏବଂ ପ୍ରାଚୀନ କାଳରୁ ଏହି ପରମ୍ପରା ରହି ଆସିଛି ଯେ ଯେତେବେଳେ ଆକାଶରେ ଜହ୍ନ ଉଠେ ସେତେବେଳେ ସ୍ୱପ୍ନେଶ୍ୱର ମହାଦେବ ଦୋଳ ବିମାନ ଗ୍ରାମ ପରିକ୍ରମା କରିବା ଯାତ୍ରାରେ ବାହାରିଥାନ୍ତି, ତାଙ୍କ ପରେ ପରେ ଅନ୍ୟ ସବୁ ଦୋଳମାନେ ଆସନ୍ତି। ବିଭିନ୍ନ ବାଜା, ଘୋଡ଼ାନାଚ, ବାଣ, କଣ୍ଢେଇ ନାଚ, ନାମ ସଂକୀର୍ତ୍ତନ, ବିଭିନ୍ନ ରଙ୍ଗବେରଙ୍ଗର ଫଗୁ ଖେଳ ସହିତ ଠାକୁରମାନଙ୍କୁ ଦୋଳ ବିମାନରେ ବସାଇ ଅତ୍ୟନ୍ତ ଭକ୍ତିଭାବରେ ଝୁଲାଇ ଝୁଲାଇ ମେଳଣ ପଡ଼ିଆକୁ ଆଣନ୍ତି। ସମସ୍ତଙ୍କୁ ନିଜ ନିଜ ଆସନରେ ବସାଯାଏ। ବିଧିବିଧାନ ଅନୁସାରେ ଭଗବାନଙ୍କୁ ସେଠାରେ ପୂଜା କରାଯାଏ। ଶେଷଦିନ ହରିହର ଭେଟ ପରେ ଆମ ବାଳକାଟୀ ପ୍ରତାପଶାସନର ମୁଖ୍ୟ ଇଷ୍ଟ ଦେବତା ଥାନପତି ସ୍ୱପ୍ନେଶ୍ୱର ଦେବଙ୍କୁ ସୁବାସିତ ପଣା ଭୋଗ ପ୍ରଦାନ କରାଯାଏ। ଏହି ପଣାଭୋଗ ଆମ ବାଳକାଟୀର ସାତକାଣିଆ ସାହିର ଗୋପାଳ ବେହେରାମାନେ ଆୟୋଜନ କରନ୍ତି। ଛାଚି ଖଇ ସହିତ କ୍ଷୀର, ନବାତ, ଛେନା, ନଡ଼ିଆ, କର୍ପୂର ଇତ୍ୟାଦି ଦିଆଯାଇ ଏକ ସୁମିଷ୍ଟ ସୁବାସିତ ପଣାଭୋଗ ସ୍ୱପ୍ନେଶ୍ୱର ଦେବଙ୍କୁ ପ୍ରଦାନ କରାଯାଏ। ପଞ୍ଚାୟତର ମୁଖ୍ୟ ଦେବତା ଓ ଥାନପତି ସ୍ୱପ୍ନେଶ୍ୱର ଦେବ ଏହାପରେ ନିଜ ମନ୍ଦିରକୁ ଚଳି ଯାଆନ୍ତି।
ସ୍ଥାନୀୟ ଅଧିବାସୀମାନଙ୍କ ଜୀବନଯାତ୍ରାରେ ପଞ୍ଚୁଦୋଳର ପ୍ରଭାବ : ବାଳକାଟୀ ପଞ୍ଚୁଦୋଳ ମେଳଣର ଆମର ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଉପରେ ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି। ଏହାକୁ ସବୁ ସ୍ତରରେ ଏକ ମିଳନର ପର୍ବ ଭାବରେ ପାଳନ କରାଯାଏ। ଏହି ମେଳଣ ପ୍ରାୟ ପୂର୍ବରୁ ମାସ ମାସ ଧରି ଚାଲୁଥିଲା। ବର୍ତ୍ତମାନ ଏହା ପନ୍ଦରରୁ କୋଡ଼ିଏ ଦିନ ମଧ୍ୟରେ ସୀମିତ ଅଛି। ମେଳଣ ଆସିବା ପୂର୍ବରୁ ଅଞ୍ଚଳର ଅଧିବାସୀମାନେ ମନ ଖୁସି ଓ ଉଲ୍ଲାସ ମନାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥାନ୍ତି। ଏହି ସମୟରେ ପ୍ରତି ଘରେ ଘରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରାଯାଏ। ଏଠାରେ ଦୋଳ ମେଳଣ ତିନିଦିନ ହୁଏ। ମାତ୍ର ମେଳଣ ପଡ଼ିଆରେ ଯାତ୍ରା ଦଶ, ପନ୍ଦର ଦିନ ଲାଗି ରହେ। ଏହି ମେଳଣ ଯାତ୍ରାରେ ବିଭିନ୍ନ ପ୍ରକାର ଜିନିଷ କିଣାବିକା ହୁଏ। ଅପେରା, ନାଟକ, ଦୋଳି, ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ମନ ଆନନ୍ଦରେ ଓ ଉଲ୍ଲାସରେ ପରିପୂର୍ଣ୍ଣ ହୋଇଯାଏ। ବର୍ଷକୁ ଥରେ ଦୋଳ ମେଳଣ ସମସ୍ତଙ୍କ ପାଇଁ ଗୋଟିଏ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥାଏ। ଏହା ପଛରେ ଏହି ଅଞ୍ଚଳର ଆଧ୍ୟାତ୍ମିକ, ସାଂସ୍କୃତିକ, ଧାର୍ମିକ ପରମ୍ପରା ଓ ଶ୍ରୀଚୈତନ୍ୟଙ୍କ ପ୍ରେମଭକ୍ତିର ପ୍ରଭାବରେ ସାଧାରଣ ଜନତା ଠାରୁ ଆରମ୍ଭ କରି ଅସାଧାରଣ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମାନସିକତାରେ ଏକ ମଧୁର ଭ୍ରାତୃତ୍ୱ ଭାବ, ପରସ୍ପର ମଧ୍ୟରେ ସଂହତି କେଉଁ ପ୍ରାଚୀନ କାଳରୁ ରହିଆସିଛି। ଏହି ପଞ୍ଚୁଦୋଳ ମେଳଣ ଜୟଦେବ ନିର୍ବାଚନମଣ୍ଡଳୀ ତଥା ସମଗ୍ର ଓଡ଼ିଶାରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ସ୍ଥାନ ଅଧିକାର କରିଛି।

- ପ୍ରିୟଙ୍କା ମହାନ୍ତି
ବସନ୍ତପେଡ଼ି, ବାଳକାଟୀ, ଖୋର୍ଦ୍ଧା