ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କଳାହାଣ୍ଡି, ୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ – ଭୁବନେଶ୍ଵର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ରେ କାର୍ଯ୍ୟରତ ବେଡ୍ରୋଲର ଲକ୍ଷ୍ମୀକାନ୍ତ ଦୁର୍ଗାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ପତିତପାବନ ଦୁର୍ଗା ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଜୁନାଗଡ଼ ଥାନା ବ୍ରାହ୍ମଣୀଗୁଡ଼ା ଗ୍ରାମର ଲକ୍ଷ୍ମୀକାନ୍ତ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ବେଡ୍ରୋଲର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୯ ତାରିଖରେ ଭୁବନେଶ୍ବର-ଜୁନାଗଡ଼ ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ର କୋଚ୍ ନଂ ବି-୩ ରେ ସେ ନିୟୋଜିତ ଥିଲେ । ଟ୍ରେନ୍ ଭୁବନେଶ୍ବରରୁ ଫେରୁଥିବା ସମୟରେ ବ୍ରହ୍ମପୁର ନିକଟରେ ଲକ୍ଷ୍ମୀକାନ୍ତଙ୍କୁ କେହି ପ୍ରଣାତ୍ମକ ଆକ୍ରମଣ କରି ଟ୍ରେନ୍ରୁ ଫିଙ୍ଗି ଦେଇଥିଲା। ସୂଚନା ପାଇବା ପରେ ପରିବାର ଲୋକେ ସେଠାରେ ପହଞ୍ଚି ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ବ୍ରହ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ବୁଧବାର ସନ୍ଧ୍ୟାରେ ପୁଣି ବହୁଜନ ସଂଗ୍ରାମ ସମିତିର ସହଯୋଗରେ ମୃତ ଲକ୍ଷ୍ମୀକାନ୍ତଙ୍କ ବାପା ପତିତପାବନ ଦୁର୍ଗା ଜୁନାଗଡ଼ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଏହି ପ୍ରତିନିଧି ଦଳରେ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲ, ସମ୍ପାଦକ ସୁଶାନ୍ତ ନାଏକ, ପୂର୍ଣ୍ଣେନ୍ଦୁ ମାଝୀ, ରତନ ଧଙ୍ଗଡ଼ାମାଝୀ, କାଉନସିଲର ହିମାଦ୍ରି ସିନ୍ଦୂର, ନରେନ୍ଦ୍ର କ୍ଷୀତି, ମିନୁ କନ୍ଦପାନ, ରାଜେଶ ଦୁର୍ଗାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ