ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ

ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା ୦୮ ଗୋଟି ପୋଥି ସଂଗୃହୀତ

ଭବାନୀପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି । ପ୍ରାଚୀନ ପୋଥିର ଉଦ୍ଧାର ଓ ସଂରକ୍ଷଣ, ମୂଳପାଠ ନିର୍ଣ୍ଣୟ ସହିତ ଛାତ୍ରଛାତ୍ରୀଙ୍କୁ ପୋଥି ବିଷୟରେ ଅବଗତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ସହକାରୀ ପ୍ରଫେସର ଡୋଳାମଣି ଧରୁଆ ଓ ଡକ୍ଟର ଦାଶରଥି ଆଚାର୍ଯ୍ଯ ଏହି ପୋଥି ସଂଗ୍ରହ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଭବାନୀପାଟଣା ସହରସ୍ଥିତ ମନ୍ଦାର ବଗିଚାପଡାର ଅବସରପ୍ରାପ୍ତ ଶିକ୍ଷକ ଭିକାରୀଚରଣ ମିଶ୍ରଙ୍କ ଘରେ ଡକ୍ଟର ଦାଶରଥି ଆଚାର୍ଯ୍ଯ ପୋଥି ଠାବ କରିଥିଲେ । ଶ୍ରୀ ମିଶ୍ର ଜଣେ ସାହିତ୍ୟାନୁରାଗୀ ତଥା ବଦାନ୍ୟ ବ୍ୟକ୍ତି ହୋଇଥିବାରୁ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ୦୮ ଗୋଟି ପୋଥି ପ୍ରଦାନ କରିଛନ୍ତି । ସେହି ପୋଥିଗୁଡିକ ମଧ୍ଯରେ ବିଷ୍ଣୁପ୍ରାସାଦ ପ୍ରତିଷ୍ଠା, ଦୁର୍ଗୋତ୍ସବ ଚନ୍ଦ୍ରିକା, ଦାନବିଧି, କାଣ୍ୟ ସଂହିତା, କାଳମାଧବ, ପାଣିନୀକୃତ ବ୍ୟାକରଣଶାସ୍ତ୍ର, ନୈଷଧଟୀକା , ଅନର୍ଘ ରାଘବ ଓ ମାଘ ମାହାତ୍ମ୍ୟ ପ୍ରଭୃତି । ଏହି ପୋଥିଗୁଡିକ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହାଳୟରେ ରଖାଯାଇଛି । ପୋଥିଗୁଡିକ ଓଡ଼ିଆ ଛାତ୍ରଛାତ୍ରୀ ତଥା ଗବେଷକ-ଗବେଷିକାଙ୍କ ଗବେଷଣା ପାଇଁ ନୂତନ ଦିଶା ଦେଖାଇବ ବୋଲି ସେ ସ୍ଵଇଚ୍ଛାରେ ପୋଥି ପ୍ରଦାନ କରିଛନ୍ତି । ଭାଷା, ସାହିତ୍ୟର ଉନ୍ନତି ନିମନ୍ତେ ପୋଥି ପ୍ରଦାନ କରିଥିବାରୁ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ତଥା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଶଂସା ମଧ୍ଯ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page