ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ

ଚିଲିକା,୧୫/୧: ଧର୍ମ ଓ ସଂସ୍କୃତିର ରକ୍ଷକ ଉତ୍କଳୀୟ ପାଲାର ପ୍ରମୁଖ ସଂଗଠନ “ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ”ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୪୭ତମ ବାର୍ଷିକ ସମ୍ମିଳନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ବରିଷ୍ଠ ମୁଣ୍ମୟୀ ଶିଳ୍ପୀ ତଥା ସମାଜସେବୀ ଅଖିଳ କୁମାର ପଲାଇଙ୍କୁ “ଆଦର୍ଶ ସମାଜସେବୀ ସମ୍ମାନ”ରେ ସମ୍ମାନିତ କରାଯାଇଅଛି | ପରିଷଦର ମୁଖ୍ୟ ସାଂସ୍କୃତିକ ସମ୍ପାଦକ ତଥା ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟଙ୍କ ସଂଯୋଜନାରେ ତଥା ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ସାଧାରଣ ସମ୍ପାଦକ ଗାୟକ ବସନ୍ତ କୁମାର ରାଉତ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ମିଳନୀ ସଭାରେ ଅତିଥିଭାବେ ଯୋଗଦେଇଥିବା କଟକ ଶ୍ରୀରାମ ଭଞ୍ଜ ମେଡିକାଲ କଲେଜର ସ୍ନାୟୁଶଲ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ଃ ରବିନାରାୟଣ ପଣ୍ଡାଙ୍କ କରକମଳରୁ ଏହି ସମ୍ମାନ ଗ୍ରହଣ କରିଥିଲେ | ଏହି ଅବସରରେ ଓଡ଼ିଶାର ବହୁ ପାଲା ମଞ୍ଚ ଅନୁଷ୍ଠାନ, ପାଲାଗାୟକ, ବାୟକ ଓ ପାଲାକର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସୂଚନା ଅନୁଯାୟୀ ମାର୍ଗଦର୍ଶକ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଆଶୀର୍ବାଦରେ ୪୭ତମ ବାର୍ଷିକ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅନ୍ୟୁନ୍ୟ ଦୁଇ ହଜାର ପାଲା ଗାୟକ, ବାୟକ ଓ ପାଲାକର୍ମୀ ମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେବା ସମର୍ପଣ ଯାତ୍ରା ଉଦ୍ୟେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରି ଆଲଟ ଚାମର, ଝାଞ୍ଜ, ମୃଦଙ୍ଗ ଶବ୍ଦରେ ବଡଦାଣ୍ଡ ପ୍ରକମ୍ପିତ କରି ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା | ପ୍ରଥମ ଦିବସରେ ସାଙ୍ଗଠନିକ ବୈଠକ ସହିତ ପାଲା ସଂସ୍କୃତିକୁ ଶାସ୍ତ୍ରୀୟ ମାନ୍ୟତା ଦାବୀ ଉପସ୍ଥାପନା ନିମନ୍ତେ ଆଲୋଚନା କରାଯାଇଥିଲା ତତସହିତ ବିଶ୍ୱ ଦରବାରରେ ତଥା ଅନ୍ୟାନ୍ୟ ପ୍ରଦେଶରେ ଏହାର ପ୍ରସାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା | ଦ୍ୱିତୀୟ ଦିବସରେ ବିଭିନ୍ନ ଗାରିମାମୟ ପ୍ରତିଭା ମାନଙ୍କୁ ସମ୍ମାନିତ ସମେତ ଉଭୟ ଦିବସରେ ପାଖାପାଖି ୧୫ରୁ ଉର୍ଦ୍ଧ ପାଲାଦଳଙ୍କୁ ନେଇ ପାଲା ପରିବେଷଣ କରାଯାଇଥିଲା | ଏହି ଉତ୍ସବରେ ପୁରୀ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ଅଖଣ୍ଡ ପୁରୀ ଜିଲ୍ଲା ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସ, ଓଡ଼ିଶା ଟ୍ରଷ୍ଟ ବୋର୍ଡ଼ ଅଧ୍ୟକ୍ଷ ଯୁଧିଷ୍ଠିର ପରିଜା, ଟ୍ରଷ୍ଟ ବୋର୍ଡ଼ ସାଧାରଣ ସମ୍ପାଦକ ସୁଦର୍ଶନ ମହାପାତ୍ର, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଦାଶ ଓ ସମ୍ପାଦକ ଭ୍ରମରବର ପ୍ରଧାନ, ପରିଷଦ ନିର୍ଦେଶକ ଅମୀୟ କୁମାର ପଟ୍ଟନାୟକ, ସଂଯୋଜକ ରଞ୍ଜିତ କୁମାର ଆଚାର୍ଯ୍ୟ, ଆଇନି ପରାମର୍ଶଦାତା ପ୍ରତାପ ଚନ୍ଦ୍ର ପ୍ରଧାନ, ଶ୍ରୀମନ୍ଦିର ପୁରୋହିତ ଡ଼ଃ ସିଦ୍ଧେଶ୍ୱର ମହାପାତ୍ର,ଗାୟକ ରବି ସାମନ୍ତରାୟ ପ୍ରମୁଖ ବହୁ ଗାରିମାମୟ ଅତିଥିମାନେ ଉପସ୍ଥିତ ରହି ଏହାକୁ ଗୌରବାନ୍ବିତ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page