ଅବ୍ୟବସ୍ଥା ଘେରରେ ଲିଲିଂପଦର ଗ୍ରାମ, ଆନୁଷଙ୍ଗିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ !

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲିଲିଂପଦର ଗ୍ରାମବାସୀ ସରକାରଙ୍କ ଜନହିତକର ସୁବିଧାରୁ ବଞ୍ଚିତ ହୋଇ ରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମବାସୀ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ତଥା ଭବିଷ୍ୟତର ନାଗରିକ କୁହାଯାଉଥିବା କୋମଳମତି ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଉଦ୍ଦିଷ୍ଟ ଅଙ୍ଗନୱାଡ଼ି କେନ୍ଦ୍ର ଭଳି ଅତ୍ୟାବଶ୍ୟକୀୟ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ । ଏଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ନ କହିବା ଭଲ । ଆଦିବାସୀ ଅଧ୍ୟୁଷିତ ଏହି ଲିଲିଂପଦର ଗ୍ରାମ ଉକ୍ତ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଆସୁଥିବା ଅନୁଦାନ କୁଆଡେ ଯାଉଛି ଯେ, ବିଦ୍ୟାଳୟର କାନ୍ଥ,ଚଟାଣର ସିମେଣ୍ଟ ଖୋଲି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଦୀର୍ଘ ବର୍ଷ ହେଲା ଚୂନ ଟିକେ ମଧ୍ୟ ରଙ୍ଗା ଯାଇନାହିଁ । ରାସ୍ତାଘାଟର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାପାଇଁ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ । ବୃଦ୍ଧ ବୃଦ୍ଧା ମାନେ ଭତ୍ତା ଓ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପାଇଁ ବହୁ କଷ୍ଟରେ ଯାଇ ଥାଆନ୍ତି। ବର୍ଷା ଋତୁ ଏମାନଙ୍କ ପାଇଁ ଅଭିଶାପ ସଦୃଶ ହୋଇଯାଏ। ସ୍ଥାନୀୟ ଜନପ୍ରତିନିଧି ଗ୍ରାମର ଉନ୍ନତି ପାଇଁ ଆଗ୍ରହ ଦେଖାଉ ନାହାଁନ୍ତି, ନିର୍ବାଚନ ସରିଗଲେ ଲୋକପ୍ରତିନିଧିଙ୍କ ଯିବା ଆସିବାରେ ମଧ୍ୟ ପୂର୍ଣ୍ଣଛେଦ ପଡିଯାଏ । ବିଭାଗୀୟ ଅଧିକାରୀ କାଁଭାଁ ପଞ୍ଚାୟତ କାର୍ଯ୍ୟାଳୟରୁ ହିଁ ବ୍ଳକ ସଦର କାର୍ୟାଳୟ ଭବାନୀପାଟଣାକୁ ଫେରି ଯାଇ ଥାଆନ୍ତି । ଏଭଳି ପରିସ୍ଥିତିରେ ଏ ଅଞ୍ଚଳର ବିକାଶ କିପରି ହେଉଥିବ ସହଜରେ ଅନୁମେୟ । ବ୍ଳକ ପ୍ରଶାସନ ଏଥିପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page