ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ନଇରୀ ସ୍ଥିତ ଶ୍ରୀ ଶ୍ରୀ ହରିହରେଶ୍ଵର ଦେବଙ୍କ ପୀଠରେ ଚଳିତ ବର୍ଷ ର ଦଶଦୋଳ ମେଳଣ ଉଦ୍ ଯାପିତ ହୋଇ ଯାଇଛି। କାହିଁ କେଉଁ ଆବହମାନ କାଳରୁ ଫୁଲ ଦୋଳ ରୂପେ ପ୍ରଖ୍ୟାତ ଏହି ଦଶଦୋଳ ମେଳଣ ପଡ଼ିଆରେ ନବମୀ ଦିନ ବିଳମ୍ବିତ ରାତ୍ରୀରେ ପୀଠାଧିପତି ଶ୍ରୀ ଶ୍ରୀ ହରିହରେଶ୍ଵର ଦେବଙ୍କ ଆମନ୍ତ୍ରଣ କ୍ରମେ ଚିଲିକା ଓ ବାଣପୁର ବ୍ଲକ ର ବିଭିନ୍ନ ଗ୍ରାମରୁ ଶିବ, ବିଷ୍ଣୁ ଓ ଦେବୀ ଙ୍କ ର ଚଳନ୍ତି ପ୍ରତିମା ସୁସଜ୍ଜିତ ଦୋଳ ବିମାନ,ବୃଷଭ , ଗରୁଡ଼ ଓ ସିଂହ ବାହନ ଉପରେ ବିରାଜମାନ କରି ବର୍ଣ୍ଣାଢ଼୍ୟ ପଟୁଆର ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଆସି ମେଳଣ ପଡିଆ ଆସ୍ଥାନ ଉପରେ ଆସୀନ ହୋଇଥିଲେ।

ଦଶମୀ ଦିନ ବିଭିନ୍ନ ବୈଦିକ ପୂଜା ଉପଚାର ମାଧ୍ୟରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସନ୍ଧ୍ୟାରେ ଠାକୁର ମାନଙ୍କର ମହା ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମେଳଣରେ ପୀଠାଧିପତି ଶ୍ରୀ ଶ୍ରୀ ହରିହରେଶ୍ଵର ଦେବଙ୍କ ସମେତ ହରିପୁର ଶାସନ ସ୍ଥିତ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେଵ, ଛୋଟରାୟ ପୁର ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ଦେଵ, ଗଙ୍ଗାଧର ପୁର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେଵ, ସୁନାଖଳା ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେଵ ପ୍ରମୁଖ ୩୫ ଦେବା ଦେବୀଙ୍କ ସମାବେଶ ହୋଇଥିଲା।ଦଶଦୋଳ କମିଟି ପକ୍ଷରୁ କର୍ମକର୍ତ୍ତା ସଭାପତି ଲଳିତ ମୋହନ ପଟ୍ଟନାୟକ,ସଂପାଦକ ହାଡିବନ୍ଧୁ ପଟ୍ଟନାୟକ, କାର୍ଯ୍ୟକାରୀ ସଂପାଦକ ପ୍ରମୋଦ କୁମାର ଦାସ,ଅଜୟ କୁମାର ଖୁଣ୍ଟିଆ, ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିଲେ। ନାଚୁଣୀ ଥାନା ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ଥିଲା।ମେଳଣ ସମୟରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ଏହି ମେଳଣ ଅବସରରେ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଯାତ୍ରା ନାଟକ ଓ ମେଲୋଡି କାର୍ଯ୍ୟ କ୍ରମ ପରିବେଷିତ ହେଉଛି।