ଚିଲିକା– ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ ଦିନ ରାତ୍ରୀରେ ବଉଳାବନ୍ଧ ଗ୍ରାମର ବିଭିନ୍ନ ସାହିରୁ ଠାକୁରମାନଙ୍କୁ ଗ୍ରାମବାସୀମାନେ ସୁସର୍ଜିତ ବିମାନରେ ଘଣ୍ଟ, କାହାଳୀ, ମୃଦଙ୍ଗ ବଜାଇ ଓ ଆତସବାଜୀ ଫୁଟାଇ ପାଟ ପଟୁଆରରେ ଦୋଳପଡ଼ିଆକୁ ଆଣିଥିଲେ।ଏକାଦଶ ଦୋଳର ପୀଠ ଦେବତା ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବ ବିଜେ କରିବା ପରେ ତାଙ୍କ ଆମନ୍ତ୍ରଣ କ୍ରମେ ପାଟଣା ସାହିର ଶ୍ରୀ ଶ୍ରୀ ରଘୁନାଥ ଦେବ ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଦେବ, ମଙ୍ଗରାଜପୁରର ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନଚ଼ନ୍ଦ୍ର ଦେବ ଓ ଶ୍ରୀଶ୍ରୀ ଶ୍ୟାମ ଚାନ୍ଦ ଦେବ, ଦଶହରିଆର ଶ୍ରୀ ଶ୍ରଶ୍ରୀ ମଦନ ମୋହନ ଦେବ, ରଘୁନାଥପୁର ଶାସନର ଶ୍ରୀ ଶ୍ରୀ ଶ୍ରୀ ପତିତ ପାବନ ଦେବ, ଦାଶରଥୀପୁର ଶାସନର ଶ୍ରୀ ଶ୍ରୀ ଗୋପୀନାଥ ଦେବ , ବଜରମୂଳିର ଶ୍ରୀଶ୍ରୀଚୈତନ ଦେବ ଓ କାଠି ଠାକୁରାଣୀ ମା’ଭଗବତୀ ଦେବୀ ପ୍ରମୁଖ ଠାକୁରମାନେ ସ୍ୱସ୍ଵ ବିମାନରେ ଦୋଳ ପଡିଆ କୁ ଆସି ନିଜନିଜ ଆସନରେ ବିଜେ କରିଥିଲେ।

ଏକାଦଶୀ ଦିନ ଠାକୁରମାନଙ୍କ ପାଖରେ ହୋମ ହେବା ପରେ ଭୋଗ କରାଯାଇଥିଲା । ସଂଧ୍ୟା ସମୟରେ ମେଳଣ ଅନୁଷ୍ଠିତ ହୋଇଥିଲା। ମେଳଣ ପୂର୍ବରୁ ପନ୍ତି ଭୋଗ ପୂଜା କରାଯାଇ ଠାକୁରମାନଙ୍କୁ ମେଳଣ ପଡିଆକୁ ବିଜେ କରିଥିଲେ।ପ୍ରଥମେ ପୀଠ ଦେବତା ଶ୍ରୀ ଶ୍ରୀ ବାଲୁକେଶ୍ଵର ଦେବ ମେଳଣ ପଡିଆକୁ ବିଜେ କରିବା ପରେ ଅନ୍ୟାନ୍ୟ ଠାକୁରମାନେ ମେଳଣରେ ଯୋଗ ଦେଇଥିଲେ । ଠାକୁରମାନଙ୍କ ମେଳନ ସମୟରେ ବିଭିନ୍ନ ଆତସବାଜୀ ପ୍ରଦର୍ଶିତ ହୋଇଥିବା ବେଳେ ସେଥିରୁ ଉଦ୍ ଦ୍ଭାସିତ ଆଲୋକମାଳା ଅତି ମନୋରମ ପରିବେଶ ସୃଷ୍ଟି କରିଥିଲା।ତତ୍ ସହିତ ଭକ୍ତମାନେ ଠାକୁରମାନଙ୍କୁ ଘଣ୍ଟା, କାହାଳୀ ଓ ମୃଦଙ୍ଗର ତାଳେ ତାଳେ “ଜୟ ଶିବ ଶମ୍ଭୁ ଓ “ହରିବୋଲ” ଧ୍ୱନୀ ମଧ୍ୟରେ “ଶିବାଷ୍ଟକ” ଆବୃତ୍ତି ସତେ ଯେପରି ପରିବେଶକୁ ଆଧ୍ୟାତ୍ମିକ ମୟ କରି ତୋଳିବା ସହ ପ୍ରତ୍ୟେକ ହୃଦୟରେ ନୈସର୍ଗିକ ଆନନ ପ୍ରଦାନ କରିଥିଲା।ଏହାପରେ ଠାକୁରମାନେ ସ୍ୱସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବଉଳାବନ୍ଧ ବଜାର ଠାରେ ପୀଠ ଦେବତା ଶ୍ରୀ ଶ୍ରୀ ବାଲୁକେଶ୍ଵର ଦେବ ଚଳିତ ବର୍ଷ ପାଇଁ ସମସ୍ତ ଠାକୁର ମାନଙ୍କୁ ବିଦାୟ ଦେଇ ଓ ଆଗମୀ ବର୍ଷ ଯାତ୍ରାରେ ଯୋଗ ଦେବାପାଇଁ ଶୁଭେଚ୍ଛା ଜଣାଇବା ସହ ସ୍ଵ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ। ଉକ୍ତ ଯାତ୍ରାରେ ପ୍ରାୟ କୋଡିଏ ହଜାରରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦେଇ ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନାଚୁଣୀ ଥାନା ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ମେଳଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ବଉଳାବନ୍ଧ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀବିଜୟ କୁମାର ବେହେରା ଓ ନାୟବ ସରପଞ୍ଚ ନରେନ କୁମାର ପଲାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।