ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ

ହୋଲି ଖେଳ ହେଲା କାଳ

କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସେ ହେଲେ କୋକସରା ଥାନା ଝରିଆଗୁଡ଼ାର ସୌମ୍ୟ ରଞ୍ଜନ ସାହୁ (୧୪)। ଭବାନୀପାଟଣା ସହର ନିକଟ ମେଦିନୀପୁରରେ ଥିବା ଶାସ୍ତ୍ରୀଜି ଶିକ୍ଷା ନିକେତନରେ ସେ ନବମ ଶ୍ରେଣୀରେ ପଢୁଥିବାବେଳେ ସେଠାରେ ହଷ୍ଟେଲରେ ରହୁଥିଲେ। ବୁଧବାର ମଧ୍ୟାହ୍ନରେ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ସେ ନିକଟସ୍ଥ ମେଦିନୀପୁରସ୍ଥିତ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ତାଙ୍କର ସବୁ ସାଙ୍ଗ ସ୍କୁଲକୁ ଫେରି ଆସିଥିବା ବେଳେ ସେ ଆସି ନ ଥିଲେ । ଖାଇବା ସମୟରେ ଏହା ଜଣାପଡିବା ପରେ ସ୍କୁଲ କର୍ମଚାରୀ ଉକ୍ତ ପୋଖରୀକୁ ଖୋଜିବାକୁ ଯାଇଥିଲେ । ତେବେ ସେଠାରେ ଛାତ୍ର ଜଣକ ପୋଖରୀରେ ଭାସୁଥିବା ଦେଖି ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଅପରାହ୍ନରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସେମାନେ ପାଣିରେ ବୁଡି ସୌମ୍ୟଙ୍କ ମୃତ୍ୟୁ କୁ ଗ୍ରହଣ କରୁ ନ ଥିବାବେଳେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ହଷ୍ଟେଲରେ ପାଣିର ସୁବିଧା ଥିବାବେଳେ କାହିଁକି ସୌମ୍ୟଙ୍କୁ ପୋଖରୀକୁ ଛଡାଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ହୋଇଛି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତକଙ୍କ ବାପା ଧନୁ ସାହୁ, ଅଜା ଶିବ ଶଙ୍କର ସାହୁ ଦାବି କରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଏକ ମାମଲା (ନଂ.୯୧/୨୬) ରୁଜୁ କରି ତଦନ୍ତ ଚଳାଇଥିବା ସ୍ଥାନୀୟ ଏସ୍‌ଡିପିଓ ନରେଶ ପଧାନ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page