ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିକ୍ଷା ବିଭାଗ ଅଧିନ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପ୍ରଧାନଶିକ୍ଷକ ବିଷ୍ନୁଚରଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଶିକ୍ଷାଦାନର ପଦ୍ଧତି ଓ ଶିକ୍ଷାଦାତାଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରାଯାଇଥିଲା l
ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଓ ଫଳାଫଳ ଅତି ଉଚ୍ଚକୋଟୀର ବୋଲି ଅଭିଭାବକ ମାନେ ନିଜ ନିଜର ମତ ରଖିଥିଲେ l ଏଠାରେ ଅଧ୍ୟୟନ କରି ଛାତ୍ରଛାତ୍ରୀ ମାନେ ରାଜ୍ୟ ଓ ଦେଶ ତଥା ବିଦେଶରେ ବିଭିନ୍ନ ପଦପଦବୀରେ ରହି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି l ଆଗାମୀ ଦିନରେ ବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ ତଥା ଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି କିପରି ହେବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ସେହିପରି ନିନ୍ଦୁକ ମାନେ ସର୍ବଦା ଆଗକୁ ବଢ଼ିବାରେ ସାହାସ ଦେଇଥାନ୍ତି l ତେଣୁ ମିଥ୍ୟା ଓ ଅପପ୍ରଚାରକୁ ଭୃକ୍ଷେପ ନ କରି ଶିକ୍ଷାଦାନ କରିବା ଦିଗରେ ଯତ୍ନବାନ ହେବାପାଇଁ ଶିକ୍ଷକ ମାନଙ୍କୁ ଅଭିଭାବକ ଓ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି l ପ୍ରକାଶଥାଉକି ୧୯୮୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଦୀର୍ଘ ୩୬ ବର୍ଷ ଧରି ତାର ସଫଳତା ବଜାୟ ରଖିଛି । ଗତ ୨୦୨୩-୨୪ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l ଏଥିରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ସମଗ୍ର ବ୍ଲକରେ ଗୌରବାନ୍ୱିତ କରିଥିଲେ l ୨0୨୪/୨୫ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ମୋଟ ୧୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ସେହିପରି ଏହି ବିଦ୍ୟାଳୟ ଗତ ୨0୨୨/୨୩ ଶିକ୍ଷାବର୍ଷରେ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିଲା l ଶିକ୍ଷଣୀୟ ପରିବେଶ ସାଙ୍ଗକୁ ବିଦ୍ୟାଳୟର ସାଜସଜା ଅତ୍ୟନ୍ତ ମନୋରମ l ଏଠାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଅତ୍ୟନ୍ତ ଦାୟିତ୍ୱ ସମ୍ପର୍ଣ୍ଣ ଅଟନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ତଥା ଯୁବନେତା ମାନସ ନାୟକ, ସମାଜସେଵୀ ମାଗୁଣି ଚରଣ ସେଠୀ , ବରିଷ୍ଠ ଶିକ୍ଷାବିତ ପ୍ରତାପ ନାୟକ, ପୁରାତନ ଛାତ୍ର ସଂଗଠନର ସଭାପତି ଉପେନ୍ଦ୍ର ବାରିକ, ନୃସିଂହ ସ୍ୱାଇଁ ସମେତ ଅଭିଭାବକ ଏବଂ ପୁରାତନ ଛାତ୍ର ସଂଗଠନର ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ସହକାରୀ ଶିକ୍ଷକ ହୃଦାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।