କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ।ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଞ୍ଚଳରେ ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଜନ ଜୀବନ ପ୍ରଭାବିତ ହେଉଛି। ରିତିମତ ଜଙ୍ଗଲରେ ନିଆଁ ଲାଗି ଯାଉଛି। ଏଥିପାଇଁ ଶାଳ,ପିଆଶାଳ,ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ ହେଉଛି। ଏହି ସବୁ ଜଙ୍ଗଲରେ ବାଉଁଶ ଗଛ ଅଧିକ ଥିବାରୁ ଶୁଖୁଲା ବାଉଁଶ ପତ୍ରରେ ନିଆଁ ଲାଗି ସମଗ୍ର ହେକ୍ଟର ହେକ୍ଟର ଅଞ୍ଚଳକୁ ମାଡିଯାଉଛି। କେବଳ ଜଙ୍ଗଲର ଗଛ ନୁହେଁ ବାର୍ହା,କୁଟୁରା,ମୟୂର ଭଳି ଅନେକ ବନ୍ୟଜନ୍ତୁ ଓ ପକ୍ଷୀ ପ୍ରଭାବିତ ହେଉଛନ୍ତି। ଏହାସହ ଜଙ୍ଗଲ ବନ୍ଧୁ ଭାବେ ଥିବା ଅନେକ କୀଟପତଙ୍ଗ ନିଆଁର ଝାସରେ ସବୁଦିନ ପାଇଁ ଲୋପ ପାଇ ଯାଉଛନ୍ତି। ଏଥିପାଇଁ ଭବିଷ୍ୟତ ଜଙ୍ଗଲ ସୃଷ୍ଟି ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସରକାରଙ୍କ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ଯମରେ ବାରମ୍ବାର ଲୋକଙ୍କ ସଚେତନତା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ କୌଣସି ସଫଳତା ମିଳୁନାହିଁ। ଏବେ ମଧ୍ୟ ଅନେକ ବନବାସୀ ଜଙ୍ଗଲ ଜମି ଜବରଦଖଲ କରି ମଜ୍ଜା, ମାଣ୍ଡିଆ, କାଙ୍ଗୁ, କୋଶଲା, କାନ୍ଦୁଲ ଆଦି ଶସ୍ୟ ଉତ୍ପାଦନ ପାଇଁ ଜଙ୍ଗଲକୁ ନିଆଁ ଲଗାଇ ପୋଡୁ ଚାଷ କରି ଚାଲିଛନ୍ତି। ଏହି ପୋଡୁଚାଷ କରୁଥିବା ବନବାସୀଙ୍କ ପ୍ରତି ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନ ଥିବାରୁ ଦିନକୁ ଦିନ ପୋଡୁ ଚାଷ ବୃଦ୍ଧି ପାଉଛି। ଏହାସହ ଜଙ୍ଗଲରୁ ଜାଳେଣି ସଂଗ୍ରହ ପାଇଁ ଯାଉଥିବା ଲୋକଙ୍କ ଅସାବଧାନତା ବସତଃ ବିଭିନ୍ନ ସମୟରେ ବିଡ଼ି ନିଆଁରେ ଜଙ୍ଗଲ ଜଳିଯାଉଛି। ଏହାସହ ମହୁଲ ଫୁଲ ଗୋଟାଇବା ପାଇଁ ବନବାସୀ ମହୁଲ ଗଛ ତଳେ ପଡ଼ିଥିବା ପତ୍ରକୁ ଏକାଠି କରି ନିଆଁ ଲଗାଇ ଦେଉଥିବାରୁ ମଧ୍ୟ ଜଙ୍ଗଲ ପୋଡିଯାଉଛି। ବନ ବିଭାଗ ଏସବୁ ପ୍ରତି ଗୁରୁତ୍ବ ଦେଉନଥିବାରୁ ଜଟିଳ ସମସ୍ୟା ହେଉଛି। ଅନ୍ୟପଟେ ନୂଆଁ ଜଙ୍ଗଲ ସୃଷ୍ଟି ହେଉନଥିବାରୁ ବାୟୁମଣ୍ଡଳ ପ୍ରଭାବିତ ହୋଇ ଆଗାମୀ ଦିନରେ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଛି। ବନ ବିଭାଗ ପକ୍ଷରୁ ଜଙ୍ଗଲର ନିଆଁକୁ ଆୟତ୍ତ କରିବା ପାଇଁ ନିଆଁ ଲିଭାଳି କିମ୍ବା ଅଗ୍ନିଶମ ବିଭାଗ ଦଳ ନିୟୋଜିତର ବ୍ୟବସ୍ଥା ରହିଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଳି ଦଳ ନିୟୋଜିତ ହେଇନଥିବା ବେଳେ ସେମାନଙ୍କ ପାଇଁ ଯାନବାହନ ବ୍ୟବସ୍ଥା ହୋଇନାହିଁ। ଫଳରେ ଖସିଗୁଡା ରୁ ଚୁରାଗାଁ ଦୀର୍ଘ ୪୦ କିଲୋମିଟର ର ବ୍ୟାପକ ଅଞ୍ଚଳର ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଅନ୍ୟପଟେ ପାହାଡ଼ ତଳ ଅଞ୍ଚଳରେ ଥିବା ଗାଁ ଗୁଡିକରେ ଗଠିତ ହେଇଥିବା ବନ ସୁରକ୍ଷା ସମିତି କେବଳ ଧର୍ମକୁ ଆଖୁଠାର ଭଳି ରହିଛନ୍ତି। ସେମାନଙ୍କ ଦ୍ବାରା କୌଣସି କାର୍ଯ୍ୟ ହେଉ ନାହିଁ। ଅନ୍ୟପଟେ ବନ ବିଭାଗ ମଧ୍ୟ ସେମାନଙ୍କୁ କାର୍ଯ୍ୟକ୍ଷମ କରାଇବାରେ ଗୁରୁତ୍ବ ଦେଉନଥିବା ଅନୁମାନ କରାଯାଉଛି।

ପ୍ୟାରିଲାଲ ଦୁର୍ଗା-କଳାହାଣ୍ଡି