ଆଜି ରାଜ୍ୟସଭା ନିର୍ବାଚନ


ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ, ଅନୁପସ୍ଥିତ କିମ୍ବା ନାକଚ ହେଲେ ସମସ୍ତଙ୍କ ଗଣିତ ଗୋଳମାଳ ହୋଇପାରେ । ଏଭଳି ସ୍ଥିତିରେ ବିଧାୟକଙ୍କୁ ଏକାଠି ରଖିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ହୋଟେଲ ଓ ଲଞ୍ଚ ପଲିଟିକ୍ସ । ରାଜ୍ୟସଭା ଚର୍ତୁର୍ଥ ଆସନ ପାଇଁ ଲଢ଼େଇ ଶୀର୍ଷସ୍ତରରେ ରହିଥିବାବେଳ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଶାସକ ଦଳ ବିଜେପି ସମର୍ଥନ ଦେଉଥିବାରୁ ଓ ସେ ନିଜ ସ୍ତରରେ ଜୋରଦାର ଉଦ୍ୟମ ଚଳାଇଥିବାରୁ ବିରୋଧୀଙ୍କୁ ଘାରିଛି ଘୋଡ଼ା ବେପାର ଭୟ । ଟାଳିବା ପାଇଁ ନବୀନ କରିଛନ୍ତି ନୂଆ ରଣନୀତି । ଯେଉଁ ନବୀନ ନିବାସକୁ ଏକଦା ବିଧାୟକଙ୍କ ପ୍ରବେଶ କରିବା କଷ୍ଟକର ଥିଲା, ଏବେ ସେଠି ଦ୍ୱାର ଖୋଲା । ତିନିରୁ ଚାରିଦିନ ହେଲା ଲଗାତାର ଭାବେ ବିଧାୟକଙ୍କୁ ଡାକି ନିଜେ ଆଲୋଚନା କରୁଛନ୍ତି ନବୀନ । ବିଧାୟକମାନଙ୍କ ପାଇଁ ଲଞ୍ଚ , ଡିନରର ଆୟୋଜନ ବି ହେଉଛି । ତଥାପି ନବୀନଙ୍କ ଡାକିବା ସତ୍ୱେ ବି କିଛି ବିଧାୟକ ଆସୁନଥିବାର ସନେ୍ଦହ ବଢ଼ୁଛି । କଂଗ୍ରେସକୁ ମଧ୍ୟ ଘାରିଛି ସମାନ ଭୟ । ଦଳର ୮ବିଧାୟକଙ୍କୁ ନେଇ ବେଙ୍ଗାଲୁରର ଏକ ହୋଟେଲକୁ ରଖିଥିଲେ ଦଳପତି । ବେଙ୍ଗାଲୁର ଯାଇନଥିବା ଅନ୍ୟ ବିଧାୟକଙ୍କ ଉପରେ ବି ନଜର ରଖିଛନ୍ତି । କେନ୍ଦ୍ର ଓ ରାଜ୍ୟ କଂଗ୍ରେସର ନେତୃତ୍ୱ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏବଂ ଯିଏ କଥା ନମାନିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ପିସିସି ସଭାପତି । ଶାସକ ଦଳ ବି ଭୟରୁ ବାଦ ପଡିନି । ବିଜେପି ସମର୍ଥôତ ତଥା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜିତିବେ ବୋଲି ନେତା ଦୃଢ଼ୋକ୍ତି ଦେଖାଉଥିଲେ ବି କେଉଁଠି ନା କେଉଁଠି ମନରେ ଶଙ୍କା ରହିଥିବା ଚର୍ଚ୍ଚା ହେଉଛି । ବିଜେପି ୭୭ ବିଧାୟକଙ୍କୁ ପାରାଦୀପର ଏକ ହୋଟେଲରେ ରଖିବା, ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ହେଲେ, ବିଧାୟକ କହିଛନ୍ତି, କେମିତି ଭୋଟ୍ ଦେବେ ସେନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।ମତଦାନ ପୂର୍ବରୁ ତିନିଦଳ କୁ ଘାରିଛି ଘୋଡା ବେପାର । ଏଥି ମଧ୍ୟରୁ ବିଜେଡିର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ । ବିଜେଡି ବିଧାୟକ ଚକ୍ରମଣି କହଁର, ନବ କିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଳିକ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଜି ରାତି ୯ ଭିତରେ ନବୀନ ନିବାସକୁ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ ଦଳୀୟ ହ୍ୱିପ୍ ପରେ ବି ୩ ଦିନ ହେଲା ଅନୁପସ୍ଥିତ ରହିଥିଲେ । ଯାହା ଜଣାପଡିଛି ଏମାନେ ଦଳୀୟ ଯୋଗାଯୋଗରେ ନାହାନ୍ତି । ତିନିଦଳ ରାଜ୍ୟସଭା ଆସନ ବିଜୟ ହେବା ପାଇଁ ପୁରାକସରତ ଲଗେଇ ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ସୋମବାର ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ଏହା ଭିତରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ କଂଗ୍ରେସକୁ ଧରାଛୁଆ ଦେଉ ନାହାନ୍ତି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହାଜର ହେବାକୁ ନୋଟିସ ଦିଆଯାଇଥିଲା । କିନ୍ତୁ ସେ ହାଜର ହୋଇ ନ ଥିଲେ । ଫଳରେ ତାଙ୍କୁ ନୂଆ ଡେଡଲାଇନ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନୋଟିସ ଜାରି କରିଛି । ବିଜେଡି କହିଛି, ଏହି ଦୁଇ ବିଧାୟକ ଦଳରୁ ନିଲମ୍ବିତ ହୋଇଛନ୍ତି । ସେମାନେ ବିହଷ୍କୃତ ହୋଇ ନାହାନ୍ତି । ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଉଚିତ ବୋଲି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page