ଭଵାନୀପାଟଣା, ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ଦଶହନ୍ଧି ଅନେକ ଗ୍ରାମକୁ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ପିଚୁ ସଡ଼କ ଓ କଂକ୍ରିଟ ରାସ୍ତା ମାନ ନିର୍ମାଣ ହେଉଛି। ଏହା ଦ୍ୱାରା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକ ବାଦ ପଡି ନଥିବାବେଳେ ଜିଲ୍ଳା ସଦର ମହକୁମା ଭଵାନୀପାଟଣା ବ୍ଲକ ଚହଗାଁ ପଞ୍ଚାୟତର ଘଣ୍ଟବାହାଲି ଗାଁ ଏହି ସଡ଼କ ଯୋଜନାରୁ ବାଦ ପଡିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭଵାନୀପାଟଣା

ସଦର ବ୍ଲକର ଚହଗାଁ ପଞ୍ଚାୟତ ୩୬ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ। ପଞ୍ଚାୟତ ବିଭାଜିକରଣ ପୂର୍ବରୁ ଏହା କର୍ଲାପଡା ପଞ୍ଚାୟତର ଅନ୍ତର୍ଭୁକ୍ତ ଥିଲା। ଏହି ଅଞ୍ଚଳର ପ୍ରତ୍ୟେକ ଗ୍ରାମକୁ ସଡ଼କ ଯୋଜନାରେ ପକ୍କା ପିଚୁ ଓ କଂକ୍ରିଟ ରାସ୍ତା ସଂଯୋଗୀକରଣ ପ୍ରାୟତଃ ହୋଇ ସାରିଛି। ଅତି ଦୂରଭାଗ୍ୟର ବିଷୟ ଯେ ଏହି ଗ୍ରାମ ପଞ୍ଚାୟତର ଘଣ୍ଟ ବାହାଲି ଗ୍ରାମ ବର୍ତ୍ତମାନ ମଧ୍ୟ ଏହି ଯୋଜନାରୁ ବାଦ ପଡି ରହିଛି। ଭଵାନୀପାଟଣା ରୁ ବୋରଡାକୁ ସଂଯୋଗ କରୁଥିବା ରାଜପଥ ପାର୍ଶ୍ୱରେ ଏହି ଗାଁ ଅବସ୍ଥିତ।ଏହି ଗାଁରେ ୩୦୦ ରୁ ଅଧିକ ପରିବାର ୨ଟି ୱାର୍ଡରେ ବିଭକ୍ତ ହୋଇ ବସବାସ କରନ୍ତି। ରାଜ୍ୟ ରାଜପଥ ଠାରୁ ଏହି ଗାଁକୁ ୩କିମି ବ୍ୟବଧାନରେ କଚା ଖାଲ ଢିପ ରାସ୍ତା ରହିଛି। ଏହି ରାସ୍ତା ବର୍ଷା ଦିନରେ କାଦୁଅ ପଚପଚ ହୋଇପଡିଥାଏ। ଏଥି ଯୋଗୁଁ ବୟୋବୃଦ୍ଧ ଓ କମ ବୟସର ପିଲାଙ୍କ ପାଇଁ ରାସ୍ତା କାଳ ସଦୃଶ୍ୟ ହୋଇଥାଏ। ଗାଁ ଦୁଇ ପାର୍ଶ୍ୱରେ ଡ୍ରେନ ସୁବିଧା ନ ଥିବା ଯୋଗୁଁ ଘରମାଙ୍କର ନିଷ୍କାସିତ ଜଳ ଓ ବର୍ଷା ଦିନର ବର୍ଷା ଜଳ ଯୋଗୁଁ ଗାଁ ପରିମଳ ବ୍ୟବସ୍ଥା ଅତି ଦୁର୍ବିସହ ହୋଇପଡେ। ଏନେଇ ଗ୍ରାମବାସୀ ସ୍ଥାନୀୟ ନେତା ପ୍ରଶାସନ ଓ ସ୍ଥାନୀୟ ବିଧାକଙ୍କ ଠାରେ ଯେତେ ନେହୁରା ହୋଇ ଗାଁ ରାସ୍ତା ଘାଟ କଥା ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା କଥା ଅଭଯୋଗ କରିଛନ୍ତି।ଘଣ୍ଟ ବାହାଲି ମୁଖ୍ୟ ରାସ୍ତା ଛକ ଠାରୁ ଘଣ୍ଟବାହାଲିଗ୍ରାମର ୩କିମି ରାସ୍ତାକୁ ସଡ଼କ ଯୋଜନାରେ ସାମିଲ କରି ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ ସହ ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ଦାବି କରିଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଥିବା ବେଳେ ଜିଲ୍ଳା ପ୍ରଶାସନ ଏନେଇ କେଉଁ ଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।