ଚୌଦ୍ୱାରରେ ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ୱାର: କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ ହୋଇଛି । ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମିତ ହେବ ୱେଲସ୍ପନ୍ ଇ ଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ । ପ୍ରକଳ୍ପ ପାଇଁ ୩ ହଜାର ୫୦କୋଟି ଟଙ୍କା ନିବେଶ ହେବ । ୧୦ ହଜାର ଲୋକଙ୍କୁ ମିଳିବ ପ୍ରତ୍ୟେକ୍ଷ ନିଯୁକ୍ତି । ଏହା ସହିତ ଚୌଦ୍ୱାରରେ ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଚୌଦ୍ୱାର ପାଇଁ ବହୁତ ଖୁସିର ଦିନ । ଚୌଦ୍ୱାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି । ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ୱାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଶିଳ୍ପ ଦ୍ୱାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀମାନେ ମଧ୍ୟ ଉପକାର ପାଇବେ । ବୟନ ଶିଳ୍ପରେ ମା’ ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ । ୱେଲସ୍ପନ ଗ୍ରୁପ ସାରା ପୃଥିବୀର ଏକ ପ୍ରସିଦ୍ଧ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇଉରୋପ, ଆମେରିକା ପରି ବିଶ୍ୱର ଧନୀ ଦେଶମାନଙ୍କୁ ଏହାର ସାମଗ୍ରୀ ବହୁ ସଂଖ୍ୟାରେ ରପ୍ତାନୀ ହୁଏ । ଏପରି କମ୍ପାନୀ ଓଡିଶାକୁ ଆସିବା, ବହୁତ ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚୌଦ୍ୱାରରେ ଏହି କମ୍ପାନୀ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ । ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ବିକାଶ ଯାତ୍ରାରେ ୱେଲସ୍ପନ ଗ୍ରୁପର ପାର୍ଟନରସିପ୍ ଅଭିବୃଦ୍ଧିର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News