ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ


ଜେଲ ଗଲେ ସଂସ୍ଥାର ଦୁଇ କର୍ମଚାରୀ
ବଲାଙ୍ଗିର,
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭ଟି ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି । ଜେଲ୍ ଯାଇଥିବା ଦୁଇ କର୍ମଚାରୀ ହେଲେ ଏହି ଥାନା ମାଳିଶିରା ଗ୍ରାମର ଚକ୍ରଧର ପୁଟେଲ(୩୨) ଓ ଦେଓଗାଁ ଥାନା କଛାରପାଲି ଗ୍ରାମର କନ୍ଦର୍ପ ସେଠ(୩୯) । ଟିଟିଲାଗଡ ଏସ୍‌ବିଆଇ ଶାଖାର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଯୋଶୀ ଥାନାରେ ଦେଇଥିବା ଏତଲା ମୁତାବକ ଏହି ଅଞ୍ଚଳର ୭ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଏଜିଏସ୍‌ ସିକ୍ୟୁର ଭେଲ୍ୟୁ ଲିମିଟେଡ ନାମକ ସଂସ୍ଥା ଦାୟିତ୍ଵ ନେଇଥିଲା । ଏହି ସଂସ୍ଥା ବ୍ୟାଙ୍କରୁ ଟଙ୍କା ଆଣି ଏଟିଏମ୍‌ଗୁଡିକରେ ଭର୍ତ୍ତି କରୁଥିଲେ ମଧ୍ୟ କିଛି କିଛି ଟଙ୍କା ହେରଫେର ହେଉଥିବା ବିଶେଷ ସୂଚନା ମିଳିଥିଲା । ସବିଶେଷ ଅଡିଟରୁ ସଂସ୍ଥା ପକ୍ଷରୁ ମୋଟ ୧୫ଲକ୍ଷ ୯୦ହଜାର ୫ଶହ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଏଥିପାଇଁ ଦାୟୀ ଦୁଇ କର୍ମଚାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଡାକି ପଚରାଉଚରା କରାଯିବା ସହ ବକେୟା ଟଙ୍କା ରିକଭରି ପାଇଁ ବାରମ୍ବାର ତାଗିଦ୍ କରାଯାଇଥିଲା । ସେମାନେ ଏହାକୁ ଅଣଦେଖା କରି ହେୟଜ୍ଞାନ କରିଥିଲେ । ଶେଷରେ ଶ୍ରୀ ଯୋଶୀ ଥାନାରେ ଏତଲା ଦେଇଥିଲେ । ଶ୍ରୀ ଯୋଶୀଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୮୭/୨୫, ଦଫା ୩୧୬(୩),୩୧୬(୫),୩୧୮(୪),(୩)(୫) ବିଏନ୍‌ଏସ୍‌ରେ ମାମଲା ରୁଜ୍ଜୁ କରି ଏସ୍‌ଆଇ ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଦୁଇଜଣଙ୍କୁ ଆଣି ଅଟକ ରଖି ଅଧିକ ତଦନ୍ତ କରିଥିଲା । ସେମାନେ ଉଭୟ ନିଜ ଦୋଷ ସ୍ଵୀକାର କରିବାରୁ ଉଭୟଙ୍କୁ ଗିରଫ କରାଯାଇଥିଲା । ସୋମବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ଏହି ଟଙ୍କା ହେରଫେର ଘଟଣାରେ ଉଭୟ ଅଭିଯୁକ୍ତଙ୍କ ସହ ଆଉ କେଉଁମାନେ ସଂପୃକ୍ତ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି ।

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page