ପୋଷ୍ଟକାର୍ଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବାଣପୁର ବାସୀ
ଚିଲିକା,୨୬।୧: ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବାଣପୁର ଉପଖଣ୍ଡ ମାନ୍ୟତା ସଂଗ୍ରାମ ପରିଷଦ ଡ଼ାକରାରେ ଆଦିବାସୀ ବହୁଳ ଦାମିଆ ବରବରା ପଞ୍ଚାୟତର ବିରିଜାଇ ମନ୍ଦିର ଠାରୁ ପୁଣି ଆରମ୍ଭ ହେଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି | ସଂଗ୍ରାମ ପରିଷଦର ଅଭିନବ ପ୍ରକ୍ରିୟା ପୋଷ୍ଟକାର୍ଡ଼ ଅଭିଯାନ କାର୍ଯ୍ୟକ୍ରମରେ ନିଳାଦ୍ରୀ ପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତ ତଥା ବାଣପୁର ଅଞ୍ଚଳର ବହୁସମାଜସେବୀ, ବୁଦ୍ଧିଜୀବି, ଯୁବ ସଂଗଠକ, ଓକିଲ, ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, ପତ୍ରକାର, ବ୍ୟବସାୟୀ ଏବଂ ବହୁ ଆଦିବାସୀ ଭାଇଭଉଣୀ ମାନେ ପ୍ରଥମେ ଏକାଠି ହୋଇ ମା’ ବିରିଜାଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସବ ଡିଭିଜନ ମାନ୍ୟତା ଦାବିର ସଫଳତା ପାଇଁ ମା’ ଙ୍କ ପାଖରେ ପ୍ରାର୍ଥନା କରି ପୋଷ୍ଟକାର୍ଡ଼ରେ ଅନୁରୋଧ ଲେଖି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅବଗତି ଓ ବିହିତ ପଦକ୍ଷେପ ନିମନ୍ତେ ଲେଖା ଅଭିଯାନ ଆରମ୍ଭ କରିଥିଲେ । ବର୍ତ୍ତମାନର ସରକାର ଲୋକଙ୍କ ସରକାର ହୋଇଥିବାରୁ ବିଶେଷକରି ବନବାସୀ ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ନିମନ୍ତେ ବହୁ ଜନହିତକର ପଦକ୍ଷେପ ଗ୍ରହଣ କରୁଥିବା ବେଳେ, ଖୋର୍ଦ୍ଧା ସଦର ମହକୁମାଠାରୁ ପ୍ରାୟ ୧୦୦ କି.ମି ଦୁରରେ ବସବାସ କରି ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ଜିଲ୍ଲାର ଦୁଇ ଆଦିବାସୀ ବହୁଳ ପଞ୍ଚାୟତର ଉନ୍ନତିସାଧନ ସହିତ ସରକାରଙ୍କ ସମସ୍ଥ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତକରଣ, ପରିମଳ, ସ୍ୱରୋଜଗାର, ନାରୀ ଶିକ୍ଷା ପରି ଅନେକ ଜନକଲ୍ୟାଣକାରୀ ପଦକ୍ଷେପର ସଫଳରୂପାୟନ ନିମନ୍ତେ ବାଣପୁର ରାଜସ୍ବ ଉପଖଣ୍ଡ ମାନ୍ୟତାର ଜରୁରୀ ଆବଶ୍ୟକତା ଥିବା କଥା ଅନୁଭବ କରି ସରକାରଙ୍କୁ ପୁଣି ମନେ ପକାଇଦେବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ଦୁଇ ପଞ୍ଚାୟତର ବୁଦ୍ଧିଜୀବି ପାଣ୍ଡବ ଶବର, ଶତୃଘ୍ନ ସାହୁ, ରମେଶ ଶବର, ଲିଙ୍ଗରାଜ ଶବର, ନିରଞ୍ଜନଶବର, ଦୀନବନ୍ଧୁଶବର , ଦିଲ୍ଲୀପ ମହାନ୍ତି ଙ୍କ ସହଯୋଗରେ ଆୟୋଜିତ ଏହି ଅଭିଯାନରେ ଦୁଇପଞ୍ଚାୟତର ବହୁ ଜନସାଧାରଣ ଯୋଗ ଦେଇଥିଲେ । ୧୯୭୭ ମସିହାରୁ ଦାବି କରିଆସୁଥିବା ବାଣପୁର ଜନସାଧାରଣଙ୍କ ଏହି ନାର୍ଯ୍ୟ ଦାବି ମୋହନ ସରକାର ନିଶ୍ଚିତ ପୁରଣ କରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।