ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, ୩0|୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ତ୍ତିଶ୍ୱର ମୁଣ୍ଡ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବରେ ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ, ସ୍ଥାନୀୟ ସରପଞ୍ଚ ବିନୋଦିନୀ ଗଉଡ଼, ବିଆରସିସି ଅରୂପାନନ୍ଦ ଭୋଇ, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, କାସିବାହାଲ ସିଆରସିସି ରାଜେନ୍ଦ୍ର ଦୁରିଆ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବଳଭଦ୍ର ବାଗ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବାର ଦିନ ହେଉଛି ସ୍କୁଲ ଓ କଲେଜ ର ବାର୍ଷିକ ଉତ୍ସବ। କାରଣ ଏହି ଉତ୍ସବରେ ହିଁ ସେମାନେ ନାଚ, ଗୀତ, ଉପସ୍ଥାପନା ଏବଂ ବିଭିନ୍ନ ପ୍ରକାରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରତିଭାକୁ ପରିପ୍ରକାଶ କରିଥାନ୍ତି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ ରୁମ ଏବଂ ବିଜ୍ଞାନ ପରୀକ୍ଷାଗାର ଉଦଘାଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦି ଇୟର ଭାବରେ ଅଞ୍ଜଳି ମହାନନ୍ଦ, ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବରେ ସୃତି ସାହୁ ଏବଂ ଖୁସିପ୍ରଭା ବାଗ, ରେଗୁଲାର ଛାତ୍ରଛାତ୍ରୀ ଭାବରେ ଶାନ୍ତିପ୍ରିୟା ଦୁରିଆ ଏବଂ ହେମଲତା ସାହୁ,ବେଷ୍ଟ ସ୍ପୋର୍ଟ୍ସ ମ୍ୟାନ ଭାବରେ ଚଞ୍ଚଲା ମାଝୀ ଓ ରୋଶନ ଦଳାଇ, ପୁଣ୍ୟବନ୍ତ ନାଗ ଏବଂ ମିନାକ୍ଷୀ ସାହୁ, ଭାବରେ ଗୋପୀନାଥ ନାଗ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page