ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି: ବିଜୁବାବୁ ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ୧୯୯୦ ମସିହାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସାଧାରଣରେ ଗୋଟିଏ ଧାରଣା ଅଛି ଯେ, ତାଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। କିନ୍ତୁ ପ୍ରକୃତରେ କଥା ସେୟା ନୁହେଁ। ବରଂ ସେ ଅଧିକାଂଶ ସମୟରେ ନିର୍ବାଚନ ଜିତିଥିଲେ। ନିଜର ଦୀର୍ଘ ରାଜନୈତିକ ଜୀବନକାଳ (୧୯୪୬-୧୯୯୭) ମଧ୍ୟରେ କେବଳ ଚାରି ବର୍ଷ (୧୯୬୭-୭୧)କୁ ଛାଡିଦେଲେ ଅନ୍ୟ ସବୁବେଳେ ସେ ବିଧାନସଭା କିମ୍ବା ସଂସଦକୁ ନିର୍ବାଚିତ ହୋଇଛନ୍ତି। ସ୍ବାଧୀନତା ପୂର୍ବରୁ ଅନୁଷ୍ଠିତ ଦୁଇଟି ବିଧାନସଭା ନିର୍ବାଚନ ମଧ୍ୟରୁ ୧୯୩୭ ମସିହାର ପ୍ରଥମ ନିର୍ବାଚନ ବେଳକୁ ତାଙ୍କୁ ପ୍ରାର୍ଥୀ ହେବାର ବୟସ ହୋଇ ନଥିଲା। ୧୯୪୬ ମସିହା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ସ୍ବାଧୀନତା ପରେ ପ୍ରଥମ (୧୯୫୨), ଦ୍ବିତୀୟ (୧୯୫୭), ତୃତୀୟ, ପଞ୍ଚମ, ଷଷ୍ଠ, ଅଷ୍ଟମ, ନବମ, ଦଶମ ଓ ଏକାଦଶ ବିଧାନସଭାକୁ ସେ ନିର୍ବାଚିତ ହୋଇଛନ୍ତି। ୧୯୬୧ ମସିହାରେ ତୃତୀୟ ବିଧାନସଭା ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୭ରେ ଚତୁର୍ଥ ଓ ୧୯୭୧ରେ ପଞ୍ଚମ ବିଧାନସଭା ନିର୍ବାଚନ ସେ ହାରିଥିଲେ। ପଞ୍ଚମ ବିଧାନସଭା ନିର୍ବାଚନ ହାରିବା ପରେ ସେ ରାଜ୍ୟସଭାର ସଦସ୍ୟ ହୋଇଥିଲେ। ତେବେ ଅଳ୍ପ କିଛି ମାସ ପରେ ଉପନିର୍ବାଚନରେ ଜିତି ପଞ୍ଚମ ବିଧାନସଭାର ସଦସ୍ୟ ହେବାରୁ ରାଜ୍ୟସଭାରୁ ଇସ୍ତଫା ଦେଲେ। ୧୯୭୪ର ଷଷ୍ଠ ବିଧାନସଭା ନିର୍ବାଚନ ଜିତିଥିଲେ। ୧୯୭୭ର ସପ୍ତମ ବିଧାନସଭା ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ କେନ୍ଦ୍ରରେ ମନ୍ତ୍ରୀ ହେଲେ। ଏହାପରେ ଅନୁଷ୍ଠିତ ସପ୍ତମ ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହେଲେନି। ୧୯୮୦ରେ ଅଷ୍ଟମ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଲୋକସଭା ନିର୍ବାଚନ ହେଲା ଓ ବିଜୁବାବୁ ଆଉଥରେ ବିଜୟ ଲାଭ କଲେ। ତେବେ କିଛି ମାସ ପରେ ଅନୁଷ୍ଠିତ ଅଷ୍ଟମ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ସେ ବିଜୟୀ ହେବା ସତ୍ତ୍ୱେ ରାଜ୍ୟରେ ସରକାର ଗଢିବା ସମ୍ଭବ ନଥିବାରୁ ବିଧାନସଭାରୁ ଇସ୍ତଫା ଦେଇଥିଲେ।
ପରେ ୧୯୮୫ ମସିହାରେ ନବମ ବିଧାନସଭା ନିର୍ବାଚନରେ ଜିତି ବିରୋଧିଦଳ ନେତା ଏବଂ ୧୯୯୦ରେ ଦଶମ ବିଧାନସଭା ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେଲେ। ୧୯୯୫ରେ ଅନୁଷ୍ଠିତ ଏକାଦଶ ବିଧାନସଭା ନିର୍ବାଚନ ଜିତି ପୁଣି ବିରୋଧିଦଳ ନେତା ହେଲେ। ବର୍ଷକ ପରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ବିଧାନସଭାରୁ ଇସ୍ତଫା ଦେଇଥିଲେ। ଲୋକସଭା ସଦସ୍ୟ ଭାବରେ ଗୋଟିଏ ବର୍ଷ କାର୍ଯ୍ୟ କରି ପାରିଥିବା ବେଳେ ଅସୁସ୍ଥତା ଯୋଗୁଁ ୧୯୯୭ ମସିହାରେ ଇହଧାମ ତ୍ୟାଗ କରିଥିଲେ। ବିଜୁବାବୁଙ୍କ ରାଜନୈତିକ ଜୀବନକାଳ ମଧ୍ୟରେ ଓଡ଼ିଶାର ରାଜନୈତିକ ପରିବେଶ ଅଧିକାଂଶ ସମୟରେ ଅସ୍ଥିର ରହୁଥିଲା। ଏହା ସତ୍ତ୍ୱେ ସେ ବାରମ୍ବାର ବିଜୟ ଲାଭ କରିଥିଲେ। ଏଥିରୁ ତାଙ୍କର ଲୋକପ୍ରିୟତା ପ୍ରମାଣିତ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page