ଭବାନୀପାଟଣା, ୨୮/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ସୂର୍ଯ୍ୟମୁଖୀ ଚାଷ ଦେଇଛି ରୋଜଗାରର ପନ୍ଥା । ଦାଦନ ଯିବା ପରିବର୍ତ୍ତେ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ଗାଁ ଏବେ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଯାଉଛି ସେହି ଗାଁ ରାସ୍ତାରେ ଅଟକି ଯାଉଛି । ତାକୁ ଆକର୍ଷିତ କରୁଛି ସୂର୍ଯ୍ୟମୁଖୀ ଫୁଲ ଚାଷ ଭବାନୀପାଟଣା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଥିବା ଭଟାଙ୍ଗପଦର ଦେଇ ଯାଇଥିବା ପିପଳ ନଳାର ଉଭୟ ପାର୍ଶ୍ବରେ ଯେଉଁ ପଟେ ଆଖି ଯିବ କେବଳ ସୂର୍ଯ୍ୟମୁଖୀ ସୂର୍ଯ୍ୟମୁଖୀ। ପ୍ରାୟ ୨୦ ଏକର୍ ପରିବ୍ୟାପ୍ତ ଅଞ୍ଚଳରେ

ସୂର୍ଯ୍ୟମୁଖୀ ଚାଷ ହୋଇଛି। ସେହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ଓ ଭବାନୀପାଟଣା ସହରବାସୀ ସେଠାକୁ ଯାଇ ସୂର୍ଯ୍ୟମୁଖୀ ଫୁଲର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ସେମାନେ ସେଠାରେ ଫଟୋ ଉଠାଉଛନ୍ତି। ସମୟ ଅତିବାହିତ କରୁଛନ୍ତି । ସବୁଠାରୁ ବଡ଼କଥା ହେଲା ଦାଦନ ଶ୍ରମିକ ହୋଇ ଗାଁ ଛାଡୁଥିବା ଅଧିକାଂଶ ଗ୍ରାମବାସୀ ଏବେ ଗାଁରେ ରହୁଛନ୍ତି କାରଣ ସେମାନଙ୍କୁ ରୋଜଗାରର ରାହା ଦେଖାଇଛି ସୂର୍ଯ୍ୟମୁଖୀ ଚାଷ। ଅଞ୍ଚଳର ଅନେକ ଲୋକ ରୋଜଗାରର କୌଣସି ପନ୍ଥା ନଥିବାରୁ ପାରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ବାହାରିଯାଉଥିଲେ। କିନ୍ତୁ ପଡୋଶୀ ଗାଁର ଚାଷୀଙ୍କ ସୂର୍ଯ୍ୟମୁଖୀ କ୍ଷେତ ଦେଖୁ ଚାଷ ପାଇଁ ମନ ବଳାଇଥିଲେ ଭଟାଙ୍ଗପଦର୍ ଗାଁର ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପରିବାର ଲୋକ ବରବର୍ତ୍ତି ସମୟରେ ପ୍ରାୟ ୨୦ ଏକର ସରକାରି ଜମିର ସୂର୍ଯ୍ୟମୁଖୀ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ପରେ ଦାଦନ ଯିବା ବନ୍ଦ କରି ଦେଇଛନ୍ତି। କେବଳ ବିକ୍ରି ଉଦ୍ଦେଶ୍ୟରେ ନୁହଁ ବରଂ ଯାହା ଉତ୍ପାଦନ ହେଉଛି ତାର ଅଧାରୁ ଅଧିକ ତେଲକରି ଘରେ ଚଳୁଛନ୍ତି ଓ ବିକ୍ରୟ ମଧ୍ୟ କରୁଛନ୍ତି । ପୁରା ଗାଁ ସୂର୍ଯ୍ୟମୁଖୀ ଚାଷ କରୁଥିବାରୁ ସରକାରୀ ପ୍ରୋତ୍ସାହନ ମିଳିଲେ ଉପକୃତ ହୋଇପାରିବୁ ବୋଲି ଚାଷୀ ପ୍ରକାଶ କରିଥିବା ବେଳେ, ବର୍ତ୍ତମାନ ଭଟାଙ୍ଗପଦର ଗାଁରୁ କେହି ଆଉ ଅର୍ଥ ଅଭାବରେ ପଡି ଦାଦନ ଯିବାକୁ ଚାହୁ ନାହାନ୍ତି। ସେମାନେ ସୂର୍ଯ୍ୟମୁଖୀ ଚାଷକୁ ଆପଣାଇ ସ୍ବାବଲମ୍ବୀ ହେବାରେ ଲାଗିଛନ୍ତି । ସୂର୍ଯ୍ୟମୁଖୀ ଅର୍ଥକାରୀ ଫସଲ ହୋଇଥିବାରୁ ସମୟକ୍ରମେ ଅଧିକରୁ ଅଧିକ ଚାଷୀ ସାମିଲ୍ ହୋଇ ନିଜ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବାରେ ଲାଗିଛନ୍ତି । ହେକ୍ଟର ପିଛା ୨୦ କ୍ଵିଣ୍ଟାଲ ସୂର୍ଯ୍ୟମୁଖୀ ବିହନ ଉତ୍ପାଦନ ହେଉଥିବା ବେଳେ, ବିହନର ବଜାର ଦର କ୍ରିଣ୍ଟାଲ୍ ପିଛା ୪ ହଜାର ଟଙ୍କା ରହିଛି। ୨୦ କ୍ରିଣ୍ଟାଲ ବିହନ ବିକ୍ରି ବାବଦକୁ ଚାଷୀ ୮୦ ହଜାର ଟଙ୍କା ପାଉଛନ୍ତି । ସାର, କୀଟନାଶକ ଓ ଶ୍ରମ ବାବଦରେ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଗୋଟିଏ ପ୍ୟାକେଟ୍ ବିହନ କିଣିଲେ ୧୨୦୦ ଟଙ୍କା ପଡୁଛି। ଆର୍ଥିକ ସ୍ଵଚ୍ଛଳ ନଥିଲେ ସାର ପ୍ରୟୋଗ ମଧ୍ଯ କରୁନାହାନ୍ତି । ଏହାସତ୍ତ୍ବେ ପ୍ରତି ହେକ୍ଟର ପିଛା ପାଖାପାଖି ୬୦ହଜାରରୁ ଅଧିକ ଟଙ୍କା ଚାଷୀ ଲାଭ ଉଠାଉଛନ୍ତି। ପ୍ରାୟ ଚାଷୀ ବିହନରୁ ତେଲ ପ୍ରସ୍ତୁତ କରି ନିଜ ଘରେ ବିକ୍ରୟ କରୁଛନ୍ତି ଓ ତେଲ ମଧ୍ୟ ବିକ୍ରି କରୁଛନ୍ତି । ସୂର୍ଯ୍ୟମୁଖୀ ବିହନରୁ ପ୍ରସ୍ତୁତ ସନଫ୍ଲାୱାର ତେଲ ଖାଇବା ଉପଯୋଗୀ ସହ ତେଲରେ ଅଧିକ ପ୍ରୋଟିନ୍ ଥିବାରୁ ସାରା ଭାରତରେ ଏହି ତେଲର ଚାହିଦା ରହିଛି । ଯେଉଁଥିପାଇଁ ଫସଲ ଅମଳ ପୂର୍ବରୁ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ଆସି ବିହନକୁ କିଣି ନେଉଛନ୍ତି । ରବି ଓ ଖରିଫ୍ ଋତୁରେ ଚାଷ ହେଉଥିବାରୁ ଦୁଇ ଋତୁରେ ଏହି ଚାଷ ଉପରେ ନିର୍ଭରଶୀଳ ଚାଷୀ ବେଶ୍ ଲାଭବାନ୍ ହେଉଛନ୍ତି । ବିହନ ବୁଣିବାର ୧୦୫ ଦିନ ମଧ୍ୟରେ ଫସଲ ଅମଳ ହେଉଥିବାରୁ ଏହି ଚାଷରେ ନିୟୋଜିତ ଚାଷୀଙ୍କ ଦୈନିକ ଆୟ ୫୦୦ରୁ ୬୦୦ଟଙ୍କା ବୋଲି ଅନୁମାନ କରାଯାଉଛି। ଏନେଇ ଭଟାଙ୍ଗପଦର ଗାଁର ସୂର୍ଯ୍ୟମୁଖୀ ଚାଷୀ ଶୁକ୍ରୁ ମାଝୀ କହିଛନ୍ତି ଯେ, ” ଏହା ଆମେ ସୂର୍ଯ୍ୟମୁଖୀ ଚାଷ କରିଛୁ ବର୍ଷା ମାସ ପରେ ପରେ ଡ୍ୟାମର ପାଣି ଶୁଖିଗଲା ପରେ ଆମେ ଏଠାରେ ସୂର୍ଯ୍ୟମୁଖୀ ଚାଷ କରୁଛୁ । କମ ପରିଶ୍ରମରେ ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଛି, ପୁର୍ବରୁ ଆମେ ଦାଦନ ଖଟିବାକୁ ବାହାର୍ ରାଜ୍ୟକୁ ଯାଉଥିଲୁ ହେଲେ ବର୍ତ୍ତମାନ୍ ସୂର୍ଯ୍ୟମୁଖୀ ଚାଷ କରିବା ପରେ ଭଲ ଦୁଇ ପଇସା ରୋଜଗାର ହେଉଛେ, ଆଉ ଆମେ ପୁର୍ବ ଭଳି ଦାଦନ ଯିବାକୁ ପଡୁ ନାହିଁ। ସରକାରଙ୍କ ପକ୍ଷରୁ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ଆହୁରୀ ଭଳ ରୋଜଗାର କରି ପାରିବୁ ବୋଲି ସେ ପ୍ରକାଶ କରିଛନ୍ତି “। ସେପଟେ ଭଟାଙ୍ଗପଦର୍ ଗାଁର ଅନ୍ୟଜଣେ ସୂର୍ଯ୍ୟମୁଖୀ ଚାଷୀ କୁମାରୀ ମାଝୀ କହିଛନ୍ତି ଯେ, ” ପାରିବାର ପ୍ରତିପୋଷଣ ପାଇଁ ଆମେ ସୂର୍ଯ୍ୟମୁଖୀ ଚାଷ କରୁଛୁ ବାହାର ଦେଶକୁ ଆଉ କାମ କରାଇବାକୁ ଯାଉନାହୁଁ ତେଣୁ କରି ସୂର୍ଯ୍ୟମୁଖୀ ଚାଷ କରି ନିଜର ତେଳ ଲୁଣର ପରିବାର ଚଳାଉଛି ବୋଲି ସେ ପ୍ରକାଶ କରିଛନ୍ତି “। ଅନ୍ୟଜଣେ ସୂର୍ଯ୍ୟମୁଖୀ ଚାଷୀ ସୁରେନ୍ଦ୍ର ନାଏକ କହିଛନ୍ତି ଯେ, ” ସୂର୍ଯ୍ୟମୁଖୀ ଚାଷ ପାଇଁ ବିହନ ଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ନିଜେ କିଣିବାକୁ ପଡ଼ୁଛି ସରକର ଙ୍କ ପକ୍ଷରୁ କିଛି ସୁବିଧା ମିଳୁନାହିଁ। ତାହା ପରେ ଅନେକ ପକ୍ଷୀ ଆସି ଚାଷ ନଷ୍ଟ ମଧ୍ୟ କରୁଛନ୍ତି କିନ୍ତୁ ତାରି ମଧ୍ୟରେ ବି ଦୁଇ ପଇସା ଲାଭ୍ ହେଉଛି । ଏହି ଚାଷକୁ ଜଦି ସମସ୍ତେ କରିବେ ତେବେ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି “।

( ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ)