ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ମା ମଙ୍ଗଳା ବସ୍ତି, କୃଷି ଭବନ, ମିିଶନ ଶକ୍ତି ବଜାର ପରିଦର୍ଶନ
ଭୁବନେଶ୍ୱର:
ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜାଗାମିଶନ, ମିଶନ ଶକ୍ତି, ଓଡିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ । ଅନ୍ୟପକ୍ଷରେ ବିଲ୍-ମେଲିଣ୍ଡା ଗେଟସ ଫାଉଣ୍ଡେସନ୍ ର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଜ୍ଞାନକୌଶଳ ଦୃଷ୍ଟିରୁ ଏହା ରାଜ୍ୟବାସୀଙ୍କ ବିକାଶ ଦିଗରେ ସହାୟକ ହୋଇଥିବା କହିଥିଲେ । ୫-ଟି ଉପକ୍ରମରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା ପାଇଁ ବିଲ୍‌ ଗେଟ୍‌ସଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଆଜି ସକାଳେ ବିଲ୍‌ ଗେଟ୍‌ସ ପ୍ରଥମେ ଲୁମ୍ବିନୀବିହାରସ୍ଥିତ ମା ମଙ୍ଗଳା ବସ୍ତି ଓ ବିଜୁ ଆଦର୍ଶ କଲୋନୀ ପରିଦର୍ଶନ କରିଥିଲେ । ଉନ୍ନୟନ କମିସନର ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥାଭାଥନନ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ସେ କୃଷି ଭବନ ଆସିଥିଲେ । କୃଷିରେ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର ପ୍ରୟୋଗ ଉପରେ କୃଷି ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ସହ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ୨୦୨୧ ମସିହାରେ ରାଜ୍ୟ ସରକାର ଏବଂ ବିଲ୍- ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ନାମମାତ୍ର, ଭୂମିହୀନ ଚାଷୀମାନଙ୍କ ଜୀବିକା ସମୃଦ୍ଧି ତଥା କୃଷିର ବିକାଶ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ଏଥିରେ ଗେଟସ୍ ଫାଉଣ୍ଡେସନକୁ ଡାଟା ସିଷ୍ଟମ୍, ଆଇଟି ବିକାଶ ଦାୟିତ୍ୱ ଦିଆଯାଇଥିଲା । ମିିଶନ ଶକ୍ତି ବଜାର ପରିଦର୍ଶନ: କୃଷି ଭବନରୁ ବାହାରି ବିଲ୍‌ ଗେଟ୍‌ସ ଯାଇଥିଲେ ମିଶନ ଶକ୍ତି ବଜାର । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ ଓ ମିଶନ ଶକ୍ତି ବିଭାଗର କମିସନର ତଥା ସଚିବ ସୁଜାତା କାର୍ତ୍ତିକେୟନ୍ । କେବଳ ମହିଳାଙ୍କ ଦ୍ୱାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ସେ ଖୁସି ପ୍ରକଟ କରିଥିଲେ । ମିଶନ ଶକ୍ତି ବଜାର ପରିଦର୍ଶନ କରିବା ବେଳେ କୋରାପୁଟ କଫି ପିଇଥିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News