ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ
କଳାହାଣ୍ଡି, ୨୬|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ସବୁ ଠାରୁ ବଡ଼ ଆରଏମସି ହେଉଛି ଜୁନାଗଡ଼ ଆରଏମସି । ହେଲେ ଜୁନାଗଡ଼ ଏତେବଡ଼ ଆରଏମସି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ସୁଧୁରି ପାରିନାହିଁ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ପ୍ରତିଶତ ନେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ଫେଲ ମାରିଛି । ବର୍ତ୍ତମାନ ଏବେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସେଡ ନ ଥିବା ଯୋଗୁଁ ଖୋଲା ଆକାଶ ତଳେ ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ ମଣ୍ଡି ରେ ଭିଝୁଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକକୁ ନେଇ ଗଠିତ ହୋଇଛି । ଚଳିତ ଖରିଫ ଋତୁ ଜୁନାଗଡ଼ ଆରଏମସି ପକ୍ଷରୁ ୭୮ଟି ମଣ୍ଡି ରୁ ଧାନ କ୍ରୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ଜୁନାଗଡ଼ ବ୍ଲକରେ ୩୯ ଟି ମଣ୍ଡି ୧୨ଟି ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଥିବା ବେଳେ ୨୭ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି । ଗୋଲାମୁଣ୍ଡା ବ୍ଲକରେ ୧୭ଟି ମଣ୍ଡିରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୬ ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି। ସେହିଭଳି ଧର୍ମଗଡ଼ ବ୍ଲକରେ ୧୮ଟି ମଣ୍ଡି ମଧ୍ୟରୁ ୭ଟି ମଣ୍ଡି ରୁ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୧ଟି ମଣ୍ଡି ରୁ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି। ସମୁଦାୟ ୫୯ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରୁଥିବା ବେଳେ ୧୯ ଟି ମଣ୍ଡିରେ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ସବୁଠୁ ବିଡ଼ମ୍ବନାର ବିଷୟ ଯେ ଆଜିବି ୧୩ଟି ମଣ୍ଡି ରେ ସେଡ ନାହିଁ । ସେଡ ନ ଥିବା ମଣ୍ଡି ଗୁଡିକ ମଧ୍ୟରୁ ଖଲିଆପାଲି, ସାନଚେରଗାଁ, କୁହୁରା ଧାନ ମଣ୍ଡିରେ ଖୋଲା ଆକାଶରେ ଭିଜୁଛି ଚାଷୀଙ୍କ ଧାନ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ୨ ପ୍ରତିଶତ ନେଇଥାନ୍ତି । ହେଲେ ପରିତାପର ବିଷୟ ଆଜି ଜୁନାଗଡ଼ ଆରଏମସି ଅଧୀନରେ ଥିବା ୧୩ ଟି ମଣ୍ଡି ରେ ସେଡ ନାହିଁ । ଚାଷୀ ମାନେ ଦିନ ଦିନ ଧରି ଖରା, ବର୍ଷା ଓ ଶୀତକୁ ସାଥି କରି ଧାନକୁ ଜଗିବସି ଥାନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା, ଚାଷୀନେତା, ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ମଧ୍ୟ ଏ ଦିଗରେ ଧ୍ୟାନ ଦିଅନ୍ତି ନାହିଁ । ଯାହା ଫଳରେ ଆଜି ବି ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମିଲର୍ସ ମାନେ ମଧ୍ୟ ଚାଷୀଙ୍କ ଅଵସ୍ଥା ଦେଖି କଟନି ଛଟନୀ ମାଡ଼ କରି ଚାଷୀଙ୍କୁ ତଳିତଳାନ୍ତ କରିବାକୁ ଲାଗି ପଡ଼ିଥାନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ଥିବା ବେଳେ ଗତ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ ଧ୍ୟାନ ଦେଲେ ନାହିଁ । ବର୍ତ୍ତମାନ ବିଜେପି ସରକାର ଓଡ଼ିଶାରେ ନିଜର ସାମ୍ରାଜ୍ୟ ଆରମ୍ଭ କରିଛନ୍ତି । ଦେଖାଯାଉ ଚାଷୀଙ୍କ ସରକାର କେତେ ଜତ୍ନବାନ ହେବ ତାହା ଦେଖିବକୁ ବାକି ରହିଲା ।