ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

୩ ଦିନ ରହିବେ ଠାକୁର : ୪ ଦିନରେ ହରିହର ଭେଟ ଓ ଆତସବାଜୀ ପ୍ରଦର୍ଶନ

ବାଳକାଟି,୨୨|୧୨: ଆସନ୍ତାବର୍ଷ ଠାରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵରଙ୍କ ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ ୫ ଦିନ ଧରି ଅନୁଷ୍ଠିତ ହେବ l ପ୍ରତିବର୍ଷ ଜମାଣ ପରେ ମେଳଣ ପଡିଆରେ ଠାକୁର ଗୋଟିଏ ଦିନ ରହିବା ପରେ ପରଦିନ ହରିହର ଭେଟ ହୋଇଥାଏ l ମାତ୍ର ଆସନ୍ତା ବର୍ଷଠାରୁ ଏହି ମେଳଣକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏବଂ ଅଞ୍ଚଳବାସୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୨ ଦିନ ବୃଦ୍ଧି କରାଯାଇଛି l ଅର୍ଥାତ ମେଳଣ ପଡିଆରେ ଠାକୁର ୩ ଦିନ ରହି ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବେ l ଚତୁର୍ଥ ଦିନରେ ଶ୍ରୀ ସ୍ଵପ୍ନେଶ୍ଵର ଓ ଶ୍ରୀ ମଦନମୋହନଙ୍କ ହରିହର ଭେଟ ହେବା ସହ ଆତସବାଜୀ ପ୍ରଦର୍ଶନ ହେବ l ଏନେଇ ଆଜି ଏକ ବୈଠକ ପ୍ରତାପଶାସନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ମୁଖ୍ୟ ଟ୍ରଷ୍ଟି ତଥା ସରପଞ୍ଚ ରୀନା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଞ୍ଚୁ୍ଦୋଳ ମେଳଣ ପରିଚାଳନା କମିଟି, ଚାରିଦେଶର ମୁରବୀ, ଗ୍ରାମ ମୁଖିଆ ଓ ପଞ୍ଚାୟତ ବାସୀ ଯୋଗଦେଇ ଏହାକୁ ସ୍ୱାଗତ ଜଣାଇବା ସହ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅଭିହିତ କରିଥିଲେ l ଏହାଦ୍ୱାରା ଠାକୁରଙ୍କୁ ଅଧିକ ୨ ଦିନ ଦର୍ଶନର ସୌଭାଗ୍ୟଲାଭ ପାଇବା ସହ ବ୍ୟବସାୟରେ ବୃଦ୍ଧି ହେବ l ଆଜିର ଏହି ବୈଠକରେ ସମିତିସଭ୍ୟ ଗଙ୍ଗାଧର ମାହାରୀ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ବସନ୍ତ କୁମାର ସାହୁ, କପିଳ ମହାରଣା, ସମାଜସେବୀ ବେଣୁଧର ଭୋଇ, ପଞ୍ଚୁ୍ଦୋଳ ମେଳଣର ବରିଷ୍ଠ ସଦସ୍ୟ ମହେଶ୍ୱର ବାରିକ, ବୈକୁଣ୍ଠ ନାଥ ବେହେରା, ଅରୁଣ କୁମାର ପଣ୍ଡା, ସୁରେନ୍ଦ୍ର ନାଥ ବେହେରା, ପବିତ୍ର ବେହେରା ସମେତ ପଞ୍ଚାୟତର ମୁଖିଆ ମାନେ ଉପସ୍ଥିତ ଥିଲେ l ପ୍ରକାଶଥାଉକି ଏହି ମେଳଣ ୨ ଦିନ ବୃଦ୍ଧି କରିବାପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଥିଲା l ଏହାକୁ ପାଥେୟ କରି ଶ୍ରୀ ସ୍ଵପ୍ନେଶ୍ଵର ଟ୍ରଷ୍ଟ, ଚାରିଦେଶ ମୁରବୀ, ପଞ୍ଚୁ୍ଦୋଳ ମେଳଣ କମିଟି ଓ ଗ୍ରାମ ମୁଖିଆ ମାନେ ଆଲୋଚନା କରିଥିଲେ l ତଦନୁଯାୟୀ ନିମନ୍ତ୍ରଣ ପାଇ ବିଭିନ୍ନ ଗ୍ରାମରୁ ବିମାନ ନେଇ ଆସୁଥିବା ଆୟୋଜକଙ୍କ ସହଯୋଗ ଲୋଡ଼ିଥିଲେ l ଏହି ପ୍ରକ୍ରିୟା ୧ ମାସ ହେବ ଚାଲିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରିଥିଲେ l ପ୍ରକାଶଥାଉକି ଦୀର୍ଘବର୍ଷ ଧରି ଏହି ପ୍ରସିଦ୍ଧ ପଞ୍ଚୁ୍ଦୋଳ ମେଳଣରେ ପ୍ରଥମ ଦିନ ବିଳମ୍ବିତ ରାତିରେ ଜମାଣରେ ମୁଖ୍ୟ ଥାନପତି ଶ୍ରୀ ସ୍ୱପ୍ନେଶ୍ଵରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ, ଶ୍ରୀ ବାଲୁଙ୍କେଶ୍ୱର, ଶ୍ରୀ ମଦନମୋହନ ଦେବ ଆଦି ସୁସଜ୍ଜିତ ବିମାନ ଯୋଗେ ବିଭିନ୍ନ ଗ୍ରାମ ପରିକ୍ରମା କରି ମେଳଣ ପଡିଆରେ ପହଞ୍ଚନ୍ତି l ପରେ କମିଟି ପକ୍ଷରୁ ନିମନ୍ତ୍ରଣ ପାଇ ପ୍ରାୟ ୫୨ ଟି ବିମାନ ମେଳଣ ପଡିଆକୁ ଆସନ୍ତି l ଗୋଟିଏ ଦିନ ମେଳଣରେ ରହି ଭକ୍ତଙ୍କୁ ଦର୍ଶନ ଦେବା ପରେ ପରଦିନ ହରିହର ଭେଟ ହୋଇ ବିମାନ ସ୍ଵଗ୍ରାମକୁ ଫେରିଯାଆନ୍ତି l ମାତ୍ର ଆସନ୍ତବର୍ଷ ଠାରୁ ସମସ୍ତଙ୍କ ସହମତିରେ ଏଥିରେ ପରିବର୍ତ୍ତନ କରାଯିବ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page