ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲରେ ସମ୍ମୁଖୀନ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ତେଣୁ ୧୮ଶ ସଂସ୍କରଣରେ ଆଇପିଏଲ୍‌କୁ ମିଳିବ ନୂଆ ବିଜେତା। ବିରାଟ କୋହଲିଙ୍କ ଜର୍ସି ନମ୍ବର ହେଉଛି ୧୮। ପାଖାପାଖି ଦୁଇ ଦଶନ୍ଧି ଧରି ଏହି ତାରକା ବ୍ୟାଟର ହାତରେ ଟ୍ରଫି ଧରିବାକୁ ଅପେକ୍ଷା କରି ରହିଛନ୍ତି। ବିରାଟ କ୍ୟାରିୟରର ୪ର୍ଥ ଆଇପିଏଲ୍ ଫାଇନାଲ ଖେଳିବାକୁ ଯାଉଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜାର ହଜାର ଦର୍ଶକଙ୍କୁ ୧୮ ନମ୍ବର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିବ। ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ ଖେଳିଥିଲେ ହେଁ ରନରଅପ୍‌ରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୨୦୧୪ରେ ରନରଅପ୍ ହୋଇଥିଲା। କୋହଲି ଅନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯାଇଥିବାରୁ ଆଉ ଅଧିକ ସମୟ ପଡ଼ିଆରେ ଦେଖିବାକୁ ମିଳିବେ ନାହିଁ। ତେଣୁ ତାଙ୍କ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭାବାବେଗ ବଢ଼ିବା ସ୍ବାଭାବିକ। କ୍ୱାଲିଫାୟର-୧ରେ ଆରସିବି ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ତେଣୁ ଦଳଠାରୁ ସେପରି ଆଉଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିବେ କୋହଲିଙ୍କ ପ୍ରଶଂସକ। ପ୍ରତି ବର୍ଷ ଭଳି କୋହଲି ଚଳିତ ବର୍ଷ ମଧ୍ୟ ପ୍ରଚୁର ରନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୬୧୪ ରନ ସ୍କୋର କରି ଫର୍ମରେ ଥିବାର ପରିଚୟ ଦେଇଛନ୍ତି। ଏହି ସୁପରଷ୍ଟାରଙ୍କ ବ୍ୟତୀତ ଫିଲ୍ ସଲ୍ଟ, ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମାଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍ ବେଶ୍ ଦୃଢ଼ ରହିଛି। ଆହତ ସମସ୍ୟା ଯୋଗୁ ଗତ ୨ଟି ମ୍ୟାଚରେ ଖେଳିପାରି ନ ଥିବା ଟିମ୍ ଡାଭିଡ ଯଦି ଫିଟ୍ ହୁଅନ୍ତି ତେବେ ଡେଥ୍ ଓଭରରେ ସେ ଓ ରୋମାରିଓ ଶେଫର୍ଡ ଦଳକୁ ବହୁ ଫାଇଦାରେ ରଖି ପାରିବେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page