ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’ ସଙ୍କେତ ଦେବା ପରେ ବିମାନଟିକୁ ବାଧ୍ୟ ହୋଇ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସୂଚନା ଅନୁସାରେ, ବିମାନଟି ଦିନ ୧୨ଟା ୨୫ ମିନିଟ୍‌ରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରିଥିଲା। ବିମାନରେ ୨ ଜଣ ପାଇଲଟ୍— ଶ୍ରିବାସ୍ତବ ଏବଂ ସହଯୋଗୀ ତରୁଣ ଖାଙ୍ଗରା ସହିତ ୪ ଜଣ ଯାତ୍ରୀ ସୁଶାନ୍ତ ବିଶ୍ଵାଳ, ଅନୀତା ସାହୁ, ସୁନିଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଥିଲେ। ଦିନ ୧ଟା ୧୪ ମିନିଟ୍‌ରେ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ପାଇଲଟ୍‌ମାନେ ଏଟିସି ସହିତ ଯୋଗାଯୋଗ କରି ‘ମେଡେ’ ସଙ୍କେତ ଦେଇଥିଲେ। ଏହାପରେ ଏଟିସି ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରାୟ ୧ଟା ୨୦ ମିନିଟ୍‌ରେ ବିମାନଟି ପ୍ରଥମେ ଏକ ବଡ ଗଛର ଅଗ୍ରଭାଗକୁ ଛୁଇଁ ଏକ ୧୧କେଭି ବିଦ୍ୟୁତ୍ ପୋଲ ତାରକୁ ଧକ୍କା ଦେଇ ଅନିୟନ୍ତ୍ରିତ ଭାବେ ଏକ ଖାଲି ଜମିରେ ଜରୁରୀ ଅବତରଣ କରିଥିଲା। ଦେଖଣାହାରୀଙ୍କ କହିବା ଅନୁସାରେ, ଆକାଶ ରେ ଉଡାଣ ବେଳେ ବିମାନଟି ସନ୍ତୁଳନ ହରାଇ ସାରିଥିଲା, ତଥାପି ପାଇଲଟ୍‌ଙ୍କ ସତର୍କତା, ସାହସ, ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ଜନଶୂନ୍ୟ ଅଞ୍ଚଳରେ ପଡ଼ିଥିଲା। ବିମାନରେ ଥିବା ସମସ୍ତ ୬ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ଓ ସମସ୍ତେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ଓଡ଼ିଶା ରାଜ୍ୟ ସିଭିଲ୍ ଏଭିଏସନ୍ ନିର୍ଦ୍ଦେଶାଳୟ ଗଭୀର ଭାବେ ନିରୀକ୍ଷଣ କରୁଛି। ଘଟଣା ସମ୍ପର୍କରେ ଡିଜିସିଏ ଏବଂ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ଅବଗତ କରାଯାଇଛି। ଏହା ସହିତ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଏକ ବିସ୍ତୃତ ତଦନ୍ତ ଆଦେଶ ଦିଆଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page