କବି ବ୍ରହ୍ମାନନ୍ଦ ପାଢ଼ୀ
ଚିତା ଚିନ୍ତା ଜୁଇ ମଧ୍ୟେ, ଚିନ୍ତା ବଳବାନ
ନିର୍ଜୀବ ଜାଳଇ ଚିତା, ଚିନ୍ତାଯେ ଜୀବନ
ଲୋଭ ମୋହ ସ୍ୱାର୍ଥ ଆଦି, ଚିନ୍ତାର ବାହନ
ଅସନ୍ତୋଷ ଚିନ୍ତାନଳେ, ଯୋଗାଏ ଇନ୍ଧନ
ଚିନ୍ତାକୀଟ ଯାର ମୁଣ୍ଡେ, କରିଥାଏ ବାସ
ସୁଖ ଶାନ୍ତି ରୂପକାନ୍ତି, ହୁଏ ସର୍ବନାଶ।
ଯୁବକ ବୃଦ୍ଧ ପରାଏ, ପାଲଟେ ସତ୍ୱର
ବିଷଲାଗେ ଘର ଦ୍ୱାର, ସୁଖର ସଂସାର
ସଦାହାୟ ହାୟ ହୁଏ, ଚିନ୍ତାଗ୍ରସ୍ତଜନ
ଭୋଗ ଶୋଷ ନିଦ୍ରାତେଜି, ଲୋଡୁଥାଏ ଧନ।
ଉର୍ଣ୍ଣନାଭ ଫାଶେ ପଡ଼ି, କୀଟହୁଏ ଯଥା
ଚିନ୍ତାଫାଶେ ପଡ଼ିନର, ହେଉଥାଏ ତଥା
ପୁତ୍ରର ଆଶ୍ଳେଷ ଅବା, ଦାରାର ସଂଭୋଗ
ଶାନ୍ତି ମିଳେନାହିଁ କାହିଁ, ସବୁଠି ବିରାଗ
ଆଧିବ୍ୟାଧି ଜରାଶୋକ, ଅକାଳମରଣ
ହତାଶ ନିରାଶ ଭାବ, ଚିନ୍ତାର କାରଣ।
ଧନ ଜନ ଗୋପଲକ୍ଷ୍ମୀ, ନୁହଁଇ ଶାଶ୍ୱତ।
ଜାଣିମଧ୍ୟ ନରସଦା, ହୁଅଇ ଚିନ୍ତିତ।