ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ଘୋଷଣା କରିଛନ୍ତି । ଉଲ୍ଲେଖ ଥାଉ କି ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି । ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ । ଆଉ ଆଜି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ଆଉ ଜଣଙ୍କ ନାମ ଘୋଷଣା ହୋଇନାହିଁ । କୁହାଯାଉଛି ଯେ ଆସନ୍ତାକାଲି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଚମକାଇଦେଇପାରନ୍ତି । ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ ଆପାତତଃ କୌଣସି ସମସ୍ୟା ନାହିଁ । ଏବେ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି । ଏହା ବାଦ୍ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News