ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

ଭବାନୀପାଟଣା, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ପୁଣି ଦାଦନ ଦୁଃଖ, କାନ୍ଦୁଛି ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଛାତି ପିଟି କାନ୍ଦୁଛି ସ୍ତ୍ରୀ, ଝୁରି ହେଉଛନ୍ତି ୨ ନାବଳ। କାହିଁକି ନାଁ ଦାଦନ ହୋଇ ବାଙ୍ଗାଲୋର ଯାଇଥିବା ବାପା ଆଉ ଦୁନିଆରେ ନାହିଁ। ହଁ ଦର୍ଶକ ବନ୍ଧୁ ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ଛାତିଥରା ଚିତ୍ର। ଗତ କିଛି ମାସ ମଧ୍ୟରେ କଳାହାଣ୍ଡି କୋକସରା ବ୍ଳକରେ ଅନେକ ଶ୍ରମିକ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ। ମୃତ ଶ୍ରମିକ ଜଣକ ଡହଗାଁ ପଞ୍ଚାୟତ ନାଗପଡାର ପିତାମ୍ବର ନାଗ। ସୂଚନା ଅନୁସାରେ, ଗତ ୨ମାସ ତଲେ ପିତାମ୍ବର ବାଙ୍ଗାଲୋରକୁ କାମ ଅନ୍ବେଷଣରେ ଯାଇ ସେଠାରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ତେବେ ଗତ ୨ ତାରିଖରେ କାମ କରୁଥିବାବେଳେ ବିଲଡିଂ ଉପରୁ ଖସିପଡ଼ି ଗୁରୁତ୍ୱର ଆହତ ହୋଇଥିଲେ। ସେଠାକାର ଏକ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଘରକୁ ଫେରିବା ବାଟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ପିତାମ୍ବରଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଥିବା ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ ଓ ପରିବାର। ମୃତ ପିତାମ୍ବର ଜଣେ ଘୁମୁରା କଳାକାର ହୋଇଥିବାବେଳେ ମଞ୍ଚ କାର୍ଯ୍ୟକ୍ରମ କରିବାର ସିଜନ୍ ନଥିବାରୂ କିଛି ରୋଜଗାର କରିବା ଆଶାରେ ୨ମାସ ତଲେ ଦାଦନ ଖଟିବାକୁ ଯାଇଥିଲେ। ଏବେ କିନ୍ତୁ ଫେରିଛି ତାଙ୍କ ମର ଶରୀର। ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ପଡୋଶୀ ଲୋକେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page