ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

ଆମେ ଓଡ଼ିଆ ଭାରି ବଢ଼ିଆ l ସୌନ୍ଦର୍ଯ୍ୟମୟୀ, ବୈଭବମୟୀ, ସଂସ୍କୃତିମୟୀ ଭାରତବର୍ଷ ସବୁଠାରୁ ଗରୀୟାନ୍ ଓ ମହୀୟାନ୍ ।ଆମେ ଭାରତବାସୀ ଭାଗ୍ୟବାନ । ବାରମାସରେ ତେର ପର୍ବ ପାଳି ଆମର କଷ୍ଟକୁ ଲାଘବ କରିବା ସଙ୍ଗେସଙ୍ଗେ ଏକତାର ସ୍ଵର ପର୍ବପର୍ବାଣୀ ମାଧ୍ୟମରେ ଗାଇଥାଉ ଓ ଭାଇଚାରା ସଂପର୍କ ସୃଷ୍ଟି କରିଥାଉଁ । ଭାରତ ବର୍ଷରେ ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ | ଓଡ଼ିଶା ବାସୀ ତାଙ୍କର ପର୍ବପର୍ବାଣୀ ଓ ଆଧ୍ୟାତ୍ମିକତାରେ ସମଗ୍ର ବିଶ୍ଵରେ ପରାକାଷ୍ଠ ପ୍ରଦର୍ଶନ କରିଛନ୍ତି ।
ମକର ସଂକ୍ରାନ୍ତି ପ୍ରାୟତଃ ପୌଷମାସ(ଜାନୁୟାରୀ) ୧୪ ତାରିଖରେ ପଡ଼ିଥାଏ । କଥିତ ଅଛି ସୂର୍ଯ୍ୟଦେବଙ୍କ ପୁତ୍ର ଧର୍ମରାଜ(ଯମ) ଏକଦା ନିଜ ପିତାଙ୍କର କୁଷ୍ଠ ରୋଗ ତପସ୍ୟା ଦ୍ଵାରା ଏହିଦିନ ଭଲ କରିଥିଲେ । ଶନିଙ୍କ ମାତା ଜ୍ଵରରେ ପଡ଼ିଥିବାରୁ ଯମଙ୍କ ଅନୁରୋଧ କ୍ରମେ ସୂର୍ଯ୍ୟଦେବ ଶନି ଓ ତାଙ୍କ ମାତାଙ୍କୁ ଦେଖାକରିବାକୁ ଏହିଦିନ ଯାଇଥିଲେ । ଶନି ପିତାଙ୍କୁ ସ୍ଵାଗତ କରିଥିଲେ । ତାଙ୍କର ବ୍ୟବହାରରେ ଖୁସିହୋଇ ସୂର୍ଯ୍ୟଦେବ ଶନିଙ୍କୁ ଆଶୀର୍ବାଦ ଦେଇଥିଲେ । ଶନିଙ୍କର ପ୍ରିୟରାଶି ମକର । ତେଣୁ ସୂର୍ଯ୍ୟଦେବ ଦକ୍ଷିଣାୟନଗତି ଅର୍ଥାତ୍ ଧନୁରାଶିକୁ ତ୍ୟାଗ କରି ଉତ୍ତରାୟଣ ଗତି ଅର୍ଥାତ୍ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହିଦିନ ଶନିଦେବଙ୍କୁ ଯେଉଁ ପ୍ରାଣୀ ପୂଜାର୍ଚ୍ଚନା କରିଥାନ୍ତି ସେ ସୁଖଶାନ୍ତି ରେ ଦିନ କଟିଥାନ୍ତି। ଆମ ହିନ୍ଦୁଧର୍ମରେ ଏକ ମାସ ଦୁଇଟି ପକ୍ଷ , ଯଥା କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ | ବର୍ଷ ମଧ୍ୟ ଦୁଇ ଭାଗରେ ବିଭକ୍ତ । ଉତ୍ତରାୟଣ ଓ ଦକ୍ଷିଣାୟନ । ୬ମାସ ଦକ୍ଷିଣାୟନ ଓ ୬ମାସ ଉତ୍ତରାୟଣ ଗତି ହୋଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଆମ ଧର୍ମ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ଅସୁରମାନଙ୍କର ଅନ୍ତ କରିବାପାଇଁ ମନ୍ଦର ପର୍ବତକୁ ଶିରରେ ଧାରଣ କରି ଯୁଦ୍ଧ ସମାପ୍ତ କରିଥିଲେ | ତେଣୁ ଏହିଦିନ ସମସ୍ତ ନକରାତ୍ମକ ଉର୍ଜାର ବିଲୋପ ଘଟି ସକରାତ୍ମକ ଚ଼ିନ୍ତନ ଘଟିଥାଏ । ଏହିଦିନ ଜପ,ତପ ,ଦାନ ,ଧ୍ୟାନ ,ପିତୃଶ୍ରାଦ୍ଧ, ତର୍ପଣ ଆଦି ଧାର୍ମିକ କାର୍ଯ୍ୟ କରାଯାଇଥାଏ । ମକରଚାଉଳ ବ୍ରାହ୍ମଣ ଆଣି ପ୍ରତି ଘରେ ଘରେ ଦେଇଥାନ୍ତି । ଏହି ମକର ଚାଉଳ ନୂଆ ଖୁଦମାଣରେ ଠାକୁରଙ୍କ ପାଖରେ ରଖି କଦଳୀ ,ନଡ଼ିଆ ଆଦି ଦେଇ ଝୋଟିଚିତା ପକାଇ ଠାକୁରଙ୍କୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହିଦିନ ପିଣ୍ଡି ଧୌତ କରି ମକର ଚାଉଳ ,ପିଠା, ଖଜା, ଚୁଡ଼ା, ଗୁଡ଼ ଇତ୍ୟାଦିରେ ପିତୃପିତାଙ୍କୁ ସନ୍ତୁଷ୍ଟ କରିଥାନ୍ତି । ମହାଭାରତରେ ପିତାମହ ଭୀଷ୍ମ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଦିନ ଇଛା ମୃତ୍ୟୁ ବରଣ କରିଥିଲେ । କୁହାଯାଏ ଉତ୍ତରାୟଣରେ ଦେହତ୍ୟାଗ କଲେ ଆତ୍ମା ଦେବଲୋକକୁ ଯାଇଥାଏ ଓ ପୁନଃଜନ୍ମ ହୋଇ ନ ଥାଏ । ଦକ୍ଷିଣାୟନ ଗତିରେ ଆତ୍ମା ବହୁକାଳ ପର୍ଯ୍ୟନ୍ତ ଅନ୍ଧକାରକୁ ସମନା କରିଥାଏ | ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉତ୍ତରାୟଣର ମହତ୍ତ୍ଵ ବୁଝାଇ କହିଥିଲେ କି ଛଅ ମାସ ଶୁଭ ସମୟ ଯେତେବେଳେ ସୂର୍ଯ୍ୟ ଉତ୍ତରାୟଣରେ ଥାଆନ୍ତି |ପୃଥିବୀ ଦେବୀ ଶୋଭାମୟୀ ଓ ଉଦାରମୟୀ ହୋଇ ଥାଆନ୍ତି । ଏହି ସମୟରେ ଶରୀର ତ୍ୟାଗ କଲେ ବ୍ରହ୍ମଲୋକ ପ୍ରାପ୍ତି ହୋଇଥାଏ ଏବଂ ଲୋକମାନେ ସିଦ୍ଧିପ୍ରାପ୍ତ ହୋଇ ଦେବଲୋକ ପ୍ରାପ୍ତି ହୋଇ ଥାଆନ୍ତି | ଏହାର ବିପରୀତ ଯେତେବେଳେ ସୂର୍ଯ୍ୟ ଦକ୍ଷିଣାୟନରେ ଥାଆନ୍ତି ସର୍ଦ୍ଦି କାଶ, ଜ୍ଵର ଇତ୍ୟାଦି ନାନା ରୋଗ ଗ୍ରାସ କରିଥାଏ । ଶରୀର ତ୍ୟାଗ କଲେ ପୁନର୍ଜନ୍ମ ନେବାକୁ ପଡ଼େ ଓ ଆତ୍ମା ବହୁ କଷ୍ଟ ପାଇଥାଏ ।ଭଲରାୟଣ ଗତିରେ ସୂର୍ଯ୍ୟକିରଣ ତେଜିୟାନ ଥିବାରୁ ଶରୀର ରୋଗରୁ ରକ୍ଷା ପାଇଥାଏ । ମକର ସଂକ୍ରାନ୍ତି କାହାଣୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶ ଯାତ୍ରା ଏହି ମକର ସଂକ୍ରାନ୍ତି ଦିନ ହୋଇଥାଏ । ଶ୍ରୀମନ୍ଦିରରେ ଧନୁସଂକ୍ରାନ୍ତି ଦିନ ଠାରୁ ମାଆ ଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି | ମକର ସଂକ୍ରାନ୍ତିରେ ବାପଘର ଭାର ସହିତ ମନ୍ଦିରରେ ପ୍ରବେଶ କରନ୍ତି । ଅବକାଶ ନୀତି ସକାଳୁ ସକାଳୁ ସରୁସରୁ ପ୍ରଭୁ ମକର ବେଶ ହୋଇ ନାନାଦି ପୁଷ୍ପରେ ମଣ୍ଡିତ ହୋଇଥାନ୍ତି |ବଡ଼ ବଡ଼ିଆ ମଠରୁ ମାଳ ଆସିଥାଏ । ଯେଉଁ ପ୍ରଭୁ ଷାଠିଏ ପଉଟି ଖାଆନ୍ତି, ଯାହାଙ୍କ ପାଖରେ ଛପନ ଭୋଗ ଲାଗି ହୁଏ ସେ ପ୍ରଭୁଙ୍କର କିନ୍ତୁ ମକର ଚାଉଳରେ ଲୋଭ | ନଡ଼ିଆ , ପିଠା, କ୍ଷିର,ଘିଅ, ସର ଇତ୍ୟାଦି ହାଣ୍ଡିକୁଡୁଆରେ ସଜାଡ଼ି ସୁଆର ସେବକମାନେ ଭୋଗଦ୍ରବ୍ୟ ଧରି ପଟୁଆରରେ ଚାଲିଥାନ୍ତି । ବଡ଼ ଦେଉଳ ପ୍ରଦକ୍ଷିଣ କରି ପୂଜା ପଣ୍ଡାଙ୍କୁ ଦେଇଥାଆନ୍ତି ଓ ପୂଜାପଣ୍ଡା ମାନେ ପ୍ରସାଦ ଲଗାଇ ଥାଆନ୍ତି | କୈବଲ୍ୟ ପାଇବା ପାଇଁ ଗହଳି ଲାଗିଥାଏ | ଏହି ତିଥିରେ ପ୍ରଭୁଙ୍କୁ ଯିଏ ଦର୍ଶନ କରନ୍ତି ରାଜସୂୟ ଯଜ୍ଞ ଫଳ ପ୍ରାପ୍ତି ହୋଇ ଥାଆନ୍ତି | ବେଢ଼ା ପରିକ୍ରମାରେ ମୁକ୍ତି ମିଳିଥାଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଦିନ ମହୋଦଧିରେ ସ୍ନାନକରି କଳ୍ପବଟକୁ ପ୍ରଦକ୍ଷିଣ କରି ପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳିଥାଏ ।
ଏହିଦିନ ଭଗିରଥ ମାତା ଗଙ୍ଗାଙ୍କୁ ଧରାବତରଣ କରି କପିଳ ମୁନୀଙ୍କ ଆଶ୍ରମରେ ପହଞ୍ଚାଇଥିଲେ ଓ ସଗର ବଂଶର ଉଦ୍ଧାର କରିଥିଲେ | କଥିତ ଅଛି ହରିଦାଶ ଏକ ଧାର୍ମିକ ରାଜା ଥିଲେ । କିନ୍ତୁ ସେ ଧର୍ମରାଜଙ୍କୁ ପୂଜା କରୁ ନ ଥିଲେ ଓ ଅତିଥି ମାନଙ୍କୁ ଆତିଥ୍ୟ ଦେଉ ନଥିଲେ | ଥରେ ତାଙ୍କର ପତ୍ନୀ ଗୁଣବତୀଙ୍କର ମୃତ୍ୟୁ ହେଲା |ରାଜା ଦୁଃଖରେ ମ୍ରିୟମାଣ ହୋଇପଡିଲେ । ତେଣେ ଯମଦୂତମାନେ ଗୁଣବତୀଙ୍କୁ ଯମାଳୟକୁ ନେଇଗଲେ । ଚିତ୍ରଗୁପ୍ତ ପାଞ୍ଜି ଦେଖି ଧର୍ମ ଓ ଅଧର୍ମ ତଥ୍ୟ ଉପସ୍ଥାପନ କଲେ । ଧର୍ମରାଜ କହିଲେ କି ତୁମ ସ୍ୱାମୀ ମୋତେ ଅବମାନନା କରିଥିବାରୁ ତୁମକୁ ଏ ଦଣ୍ଡ ଭୋଗିବାକୁ ପଡ଼ିବ କାରଣ ତୁମେ ତୁମ ସ୍ୱାମୀକୁ ସମର୍ଥନ କଲ |ଗୁଣବତୀ କ୍ଷମା ପ୍ରାର୍ଥନା କରିବାରୁ ଧର୍ମରାଜ ତାଙ୍କୁ ମୁକ୍ତି ଦେଲେ । ଗୁଣବତୀ ହଠାତ୍ ମୃତ୍ୟୁ ଶଯ୍ୟାରୁ ଉଠିପଡ଼ିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ | ଗୁଣବତୀ ସମସ୍ତ ଘବଣା କହିବାରୁ ରାଜା ନିଜର ଭୁଲ୍ ବୁଝିପାରି ସେହି ଦିନଠାରୁ ଯମରାଜଙ୍କର ପୂଜା ଆରମ୍ଭ କଲେ ।ଏହି ଦିନ ସକାଳେ ସ୍ନାନସାରି ସୂର୍ଯ୍ୟ ନମସ୍କାର କରି ଶିବଙ୍କୁ ପ୍ରାର୍ଥନା ପୂର୍ବକ ଜଗନ୍ନାଥଙ୍କୁ ଭକ୍ତିରେ ପୂଜା କଲେ ସକଳ ଗ୍ରହ ରିଷ୍ଟ ଦୂର ହୋଇ ପରିବାରରେ ସୁଖ ଶାନ୍ତି ବିରାଜମାନ କରିଥାଏ । ବାସ୍ତବରେ ଓଡ଼ିଆ ଅସ୍ମିତାରେ ଆମ ପୁରାଣ, ମହାଭାରତ , ଗୀତା ଆମ୍ଭ ମାନଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିବା ସହିତ ଏକ ଦିବ୍ୟ ଚେତନା ଓ ଅନୁଭୂତିରେ ସଂଶ୍ଲିଷ୍ଟ କରି ରଖିଛି | ତେଣୁ ଜଗତରନାଥ ଜଗନ୍ନାଥ , କୋଟି ଓଡ଼ିଆଙ୍କ ମଉଡମଣୀଙ୍କ ପଦାରବିନ୍ଦରେ ଭକ୍ତିପୂତ ପ୍ରଣାମ । ଜୟ ଜଗନ୍ନାଥ
ଶିକ୍ଷୟିତ୍ରୀ ସରସ୍ବତୀ ବାରିକ୍, ବାସୁଦେବପୁର, ଭଦ୍ରକ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page