ନୂଆଦିଲ୍ଲୀ ଜାତୀୟ ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ
ରାଉରକେଲାର: ଓଡ଼ିଶା ପାଇଁ ଗୌରବ ଓ ଯୁବ ପିଢ଼ି ପାଇଁ ପ୍ରେରଣା ନେଇ ଆସିଛନ୍ତି ରାଉରକେଲାର ସତ୍ୟ ପ୍ରକାଶ ମିଶ୍ର। ‘ବିକସିତ ଭାରତ ଚ୍ୟାଲେଞ୍ଜ’ ଅଧୀନରେ ଆୟୋଜିତ ‘ବିକସିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୬’ ରେ ସେ ରାଜ୍ୟ ସ୍ତରୀୟ ଚମ୍ପିଆନ ଭାବେ ବିଜୟୀ ହୋଇ ଓଡ଼ିଶାର ପ୍ରତିନିଧି ଭାବେ ଜାତୀୟ ସ୍ତରକୁ ଚୟନିତ ହୋଇଛନ୍ତି। ଏହି ସମ୍ମାନଜନକ ସଫଳତା ହାସଲ କରିବା ପାଇଁ ସତ୍ୟ ପ୍ରକାଶ ଙ୍କୁ ଚାରିଟି କଠିନ ପର୍ଯ୍ୟାୟ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଛି। ତାଙ୍କର ଦୃଷ୍ଟିକୋଣ, ନେତୃତ୍ୱ ଦକ୍ଷତା, ନବୋନ୍ମେଷୀ ଚିନ୍ତାଧାରା ଏବଂ ‘ବିକସିତ ଭାରତ’ ନିର୍ମାଣ ପ୍ରତି ଦୃଢ଼ ସଙ୍କଳ୍ପ ତାଙ୍କୁ ରାଜ୍ୟ ସ୍ତରରେ ସର୍ବଶ୍ରେଷ୍ଠ କରିଛି। ଆସନ୍ତା ୯ ରୁ ୧୨ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ସତ୍ୟ ପ୍ରକାଶ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀମାନେ ଓ ଦେଶର ବିଭିନ୍ନ ଉଚ୍ଚପଦସ୍ଥ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହିବେ। ଏହା ପୂର୍ବରୁ, ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାର ପ୍ରତିନିଧିମାନଙ୍କ ‘ସେଣ୍ଡିଂ ଅଫ୍ ସେରିମୋନି’ ଅବସରରେ ସତ୍ୟ ପ୍ରକାଶ ମିଶ୍ରଙ୍କୁ ଜାନୁଆରୀ ୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ଆମନ୍ତ୍ରଣ ମିଳିଛି। ରାଉରକେଲାର ସେକ୍ଟର – ୧ ବାସ କରୁଥିବା ଅଧ୍ୟାପକ ହରି ଶଙ୍କର ମିଶ୍ର ଓ ଗୃହିଣୀ ପ୍ରେମାମୟୀ ମିଶ୍ରଙ୍କ ସୁପୁତ୍ର, ଯୁବ ପ୍ରତିଭା ତଥା ଜଳନ୍ଧର ସ୍ଥିତ ଲଭଲି ପ୍ରଫେସନାଲ ୟୁନିଭରସିଟି ର ଦ୍ଵିତୀୟ ବର୍ଷ ବି.ଟେକ୍ ଛାତ୍ର ସତ୍ୟ ପ୍ରକାଶଙ୍କ ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ହେବା ସହ ଦେଶ ଗଢ଼ିବାରେ ଯୁବଶକ୍ତିର ଭୂମିକାକୁ ଆହୁରି ସୁଦୃଢ଼ କରିବା ସହ ଆସନ୍ତା ପିଢ଼ି ପାଇଁ ଏକ ଶକ୍ତିଶାଳୀ ପ୍ରେରଣା ଭାବେ ରହିବ।