ଭୁବନେଶ୍ୱର: ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଏକାଠି ହେବେ ବହୁ ସାଧୁସନ୍ଥ। ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ଜମିବ ଯାତ୍ରା ପେଣ୍ଡାଲ, ଦୁଲୁକିବ ମଂଚ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ରାଜ୍ୟର ସର୍ବପୂରାତନ ଐତିହ୍ୟରାଜିରେ ପରିପୂର୍ଣ୍ଣ ପ୍ରସିଦ୍ଧ ଖଣ୍ଡଗିରିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କୁମ୍ଭମେଳା। ଏଠାକୁ ଛୁଟି ଆସିବେ ବହୁ ସାଧୁସନ୍ଥ ଆଉ ଲୋକମାନଙ୍କୁ ଦେବେ ଧାର୍ମିକ ବାର୍ତା। ସୃଷ୍ଟିହେବ ଆଧ୍ୟାତ୍ମିକ ବାତାବରଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ସଜେଇ ହୋଇସାରିଲାଣି। ୧୨ ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳା ପାଇଁ ଜମିଲାଣି ଉଠାଦୋକାନୀଙ୍କ ଭିଡ। ତାହା ସାଙ୍ଗକୁ ଲୋକଙ୍କ ଗହଳି। ସେପଟେ ଖଣ୍ଡଗିରିରେ ଧମାଲ ମଚାଇବା ପାଇଁ ପୂର୍ବ ପ୍ରସ୍ତୁତି କରିସାରିଲେଣି ନାମୀ ଦାମୀ ଯାତ୍ରାପାର୍ଟି। ଏହାସହ ପୋଷ୍ଟରରେ ମଧ୍ୟ ଛାଇଦେଲେଣି ଖଣ୍ଡଗିରିର ସମସ୍ତ ଜନଗହଳି ଏରିଆ। ସୂଚନା ଥାଉକି ୪ ତାରିଖରୁ ଆରମ୍ଭ ହେଉଥିବା ବେଳେ ୫ ତାରିଖରୁ ଖଣ୍ଡଗିରି ପାନ୍ଥିକାରେ ତିନିଦିନିଆ ଐରଖାରବେଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପାନ୍ଥିକା ବୁକିଂ ହେବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ମେଳା ପାଇଁ ବ୍ୟବସାୟୀମାନେ ମଧ୍ୟ ସମସ୍ତ ପ୍ରସ୍ତୁତି କରିସାରିଲେଣି। କିଛି ଚିହ୍ନଟ ସ୍ଥାନରେ ପାଲ ବନ୍ଧାହେଲାଣି। ପାହାଡ଼ ତଳେ ନାଗାବାବା ଆସ୍ଥାନ ଜମାଇଲେଣି। ବାବାଙ୍କଠାରୁ ଆଶିଷ ପାଇବାକୁ ଭକ୍ତମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଦେଲେଣି। ସାଧୁସନ୍ଥଙ୍କ ପାଇଁ ସ୍ଥାୟୀ ପାଣି ବ୍ୟବସ୍ଥା ସହିତ ଲାଇଟ୍ ଓ ଛାମୁଣ୍ଡିଆ ହୋଇଥିବା ଜଣାପଡିଛି। କିନ୍ତୁ ଚଳିତ ଥର ଉଦୟଗିରି ପରି ଖଣ୍ଡଗିରିକୁ ଯିବା ପାଇଁ ମଧ୍ୟ ଟିକେଟ୍ ବ୍ୟବସ୍ଥା କରାଯାଇଥିବା ଜଣାପଡିଛିି।
୫ ସ୍ଥାନରେ ଗାଡ଼ି ପାର୍କିଂ- ଖଣ୍ଡଗିରି ମହାକୁମ୍ଭରେ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ବିଏମ୍ସି ୫ଟି ସ୍ଥାନ ଚିହ୍ନଟ କରିଛି। ଖଣ୍ଡଗିରି ଥାନା ସମ୍ମୁଖ, ଖଣ୍ଡଗିରି ବାରି, ଖାରବେଳ ପାର୍କ ସମ୍ମୁଖ, ଜାଗମରା ହାଉସିଂ ବୋର୍ଡ ସମ୍ମୁଖ, ଖଣ୍ଡଗିରି ଓଭରବ୍ରିଜ୍ ତଳେ ଗାଡ଼ି ରହିବାକୁ ବ୍ୟବସ୍ଥା ହୋଇଛି। ପାର୍କିଂ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଟିକଟ ଦର ମଧ୍ୟ ଧାର୍ଯ୍ୟ ହୋଇଛି। ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପାଇଁ ୨୦ ଟଙ୍କା ଓ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ହେବ। ୨ ଘଣ୍ଟାରୁ ଅଧିକ ସମୟ ରଖିଲେ ଅଧିକ ପାର୍କିଂ ମୂଲ୍ୟ ଦେବାକୁ ପଡ଼ିବ। ସାଇକେଲ୍ ପାଇଁ କିନ୍ତୁ କୌଣସି ଦେୟ ଦେବାକୁ ପଡ଼ିବନି। ତେବେ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ବସ୍ ରଖିବା?କୁ ହନ୍ତସନ୍ତ ହେବେ। ପୂର୍ବରୁ ଓଏସ୍?ଆରଟିସିର ବସ୍ ଷ୍ଟାଣ୍ଡ୍ରେ ପର୍ଯ୍ୟଟକଙ୍କ ବସ୍ ରହୁଥିଲା। ହେଲେ ଏବେ ସେଠାରେ ସେ ନିଜର ସମସ୍ତ ବସ୍ ରଖୁଛି। ତେଣୁ ଗତ ୪ ମାସ ହେଲା ସମସ୍ତ ପର୍ଯ୍ୟଟକଙ୍କ ବସ୍ ଗାନ୍ଧିଶାନ୍ତି କେନ୍ଦ୍ର ସମ୍ମୁଖରେ ରହୁଛି। ଏବେ ମେଳା ସମୟରେ ଷ୍ଟାଣ୍ଡ୍ରେ ପର୍ଯ୍ୟାପ୍ତ ସ୍ଥାନ ଅଭାବ ଥିବାରୁ ପର୍ଯ୍ୟଟକଙ୍କ ବସ୍ ପାର୍କିଂକୁ ନେଇ ଅବ୍ୟବସ୍ଥା ହେବା ନେଇ ଆଶଙ୍କା କରାଯାଉଛି। ସେହିପରି ୫ଟି ପାର୍କିଂ ସ୍ଥଳରୁ ୪ଟି ପାର୍କିଂ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଥାନା ସମ୍ମୁଖ ସ୍ଥାନ ପାଇଁ କେହି ଦାବିଦାର୍ ଆସିନଥିବା ଜଣାପଡିଛି। ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଜନସମାଗମ ଅଧିକା ହେବାର ଆଶଙ୍କା କରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି।