ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ
ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା ପୁରୁଣା ଜଗନ୍ନାଥ ସଡ଼କ ଉପରେ ଏହା ଏକ ଐତିହାସିକ ସ୍ଥାନ । ସେତେବେଳେ ଏସବୁ ଅଞ୍ଚଳ ବାଲିରେ ପରିପୂର୍ଣ୍ଣ ଥିଲା। ନଦୀମାନଙ୍କରେ ବନ୍ଧ ନଥିଲା। ଦକ୍ଷିଣା ପବନରେ ବାଲି ଉଡ଼ିଆସି ଏସବୁ ବାଲିକୁଦ ମାନ ପ୍ରାକୃତିକ ଭାବେ ତିଆରି ହୋଇଥିଲା । ପ୍ରତାପଶାସନ ମୌଜା ଗ୍ରାମର ବାଲିଘାଟୀ, ବାଲିକାଟୀ କାଳକ୍ରମେ ଅପଭ୍ରଂଶ ହୋଇ ଏହି ଅଞ୍ଚଳର ନାମ ବାଳକାଟୀ ନାମକରଣ ହୋଇଛି।ଏହି ବାଳକାଟୀ ରେ ଓଡ଼ିଶାର ପୂର୍ବତନ ଶିକ୍ଷା ରାଜସ୍ଵ ତଥା ବାଚସ୍ପତି ସତ୍ୟପ୍ରିୟ ମହାନ୍ତି ଜନ୍ମଗ୍ରହଣ କରିଥିଲେ।ଏହିଠାରେ ଭାର୍ଗବୀ ନଦୀରେ ପ୍ରାଚୀନ କାଳରେ ଖରାଦିନେ ଗୋଟିଏ ବାଲିଘାଟ ରାସ୍ତା ହୁଏ ଗମନାଗମନ ପାଇଁ ।ବର୍ଷାଦିନେ ନଦୀଘାଟରେ ଯିବାକୁ ପଡ଼େ । ଶ୍ରୀକ୍ଷେତ୍ର ଓ ଖୋର୍ଦ୍ଧାଗଡକୁ ଯିବା ପାଇଁ ପୁରୁଣା ଜଗନ୍ନାଥ୍ ସଡ଼କ ଏକମାତ୍ର ପଥ ଥିଲା । ସାଧୁସନ୍ଥ, ତୀର୍ଥଯାତ୍ରୀ ,ରାଜାମହାରାଜା ଏହି ବାଟ ଦେଇ ଯାଉଥିଲେ ।ଗଜପତି ପ୍ରତାପରୁଦ୍ର ଦେବଙ୍କ ନାମ ଅନୁସାରେ ଏହାର ରାଜସ୍ୱ ନାମ ପ୍ରତାପଶାସନ ରହିଛି। ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ଏହି ମହାନ ଗ୍ରାମରେ ଏକ ଉଚ୍ଚ ବଂଶଜ ମକଦମ ପରିବାରରେ ଜନ୍ମଗ୍ରହଣ କରିଥିଲେ।ପୂର୍ବରୁ ଏହି ଅଞ୍ଚଳଟି ଗଜପତି ମହାରାଜାଙ୍କ ଶାସନ ଅଧିନରେ ଥିଲା। ପରବର୍ତ୍ତୀ ସମୟରେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲାପରେ ଏହି ପୁରୁଣା ଜମିଦାରୀ ପ୍ରଥାକୁ ଉଚ୍ଛେଦ କରିଥିଲେ ଏବଂ ଏକ ନୂତନ ଜମିଦାରୀ ପ୍ରଥା ପ୍ରଚଳନ କରିଥିଲେ ଯାହାର ନାମ ସୂର୍ଯ୍ୟାସ୍ତ ଆଇନ।ଏହି ଆଇନ ବଳରେ ନିମାପଡ଼ା ଅନଡିଆ ଜମିଦାର ରାଜ ସିଂ କଲିକତାରୁ ଇଂରେଜମାନଙ୍କ ଠାରୁ ଜମିଦାର ଆଣିଥିଲେ।ତାଙ୍କଠାରୁ ବାଳକାଟିର ଶ୍ରୀଯୁକ୍ତ ରଥ ମହାନ୍ତି ଯେତେବେଳେ ବାଳକାଟୀର ଜମିଦାର ହୋଇଥିଲେ ତାଙ୍କପରେ ଶ୍ରିଯୁକ୍ତ ମାଧବାନନ୍ଦ ମହାନ୍ତି ମକଦମ ଶାସନଭାର ଗ୍ରହଣ କରିଥିଲେ।ଏହି ମାଧବାନନ୍ଦ ମହାନ୍ତିଙ୍କର ପୁତ୍ର ହେଲେ ଶ୍ରୀଯୁକ୍ତ ସତ୍ୟପ୍ରିୟ ମହାନ୍ତି।ସେ ଯେଉଁ ବର୍ଷ ଜନ୍ମ ହେଲେ ତାଙ୍କରି ଶୁଭ ସ୍ମୃତିରେ ତାଙ୍କର ପିତା ସ୍ୱପ୍ନେଶ୍ୱର ମହାଦେବଙ୍କ ଚନ୍ଦନ ପୋଖରୀ ଖୋଳାଇଥିଲେ। ଇଂରେମାନଙ୍କ କବଳରୁ ଦେଶକୁ ସ୍ଵାଧୀନ କରିବାପାଇଁ ଆନ୍ଦୋଳନ ଚାଲିଥାଏ। ସତ୍ୟପ୍ରିୟ ମହାନ୍ତି ସେହି ସ୍ଵାଧୀନତା ଆନ୍ଦୋଳନରେ ନିଜକୁ ସମର୍ପିତ କରିଥିଲେ। ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଦାସଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ। ବାଳକାଟୀ ରେ ମହାତ୍ମାଗାନ୍ଧି ରାତ୍ରିଯାପନ ସମୟରେ ଏଠାରେ ଏକ ହରିଜନ ସଭା ଓ ପଦଯାତ୍ରା କରାଯାଇଥିଲା। ସେଠାରେ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧିନ ଭାରତରେ ନବଭାରତ ଗଠନ କରାଗଲା। ସେହିସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ ଆଧୁନିକ ଓଡ଼ିଶା ଗଠନ ଦାୟିତ୍ଵ ଗ୍ରହଣ କରିଥିଲେ। ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ରୂପେ ଗଠନ ସମୟରେ ଶ୍ରୀଯୁକ୍ତ ସତ୍ୟପ୍ରିୟ ମହାନ୍ତି ତାଙ୍କ ସହିତ ଘନିଷ୍ଠ ଭାବରେ ଜଡ଼ିତ ରହି ଭୁବନେଶ୍ବର ଗଠନ ଓ ନିର୍ମାଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ବାଳକାଟିର ପ୍ରସିଦ୍ଧ କଂସାବାସନ ଶିଳ୍ପର ବିକାଶ ନିମନ୍ତେ ତତ୍କାଳୀନ ପ୍ରଥମ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କୁ ସେ ବାଳକାଟୀ ପରିଦର୍ଶନ ନିମନ୍ତେ ନିମନ୍ତ୍ରଣ କରିଆଣିଥିଲେ।ଏହି ସମୟରେ ସତ୍ୟପ୍ରିୟ ମହାନ୍ତି ତାଙ୍କ ଜନ୍ମମାଟି ପ୍ରତାପଶାସନ ବାଳକାଟୀକୁ ଆଧୁନିକ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏଵଂ ବ୍ୟବସାୟବାଣିଜ୍ୟରେ ଉନ୍ନତି କଳ୍ପେ ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ।ଏହାର ପ୍ରମାଣ ସ୍ବରୂପ ୧୯୬୬ ମସିହାରେ ବାଳକାଟି ଭାର୍ଗବୀ ସେତୁ ନିର୍ମାଣ,୧୯୬୦ରେ ପ୍ରତାପଶାସନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,୧୯୬୮ ରେ ପ୍ରତାପଶାସନ ବାଳିକା ଉଚ୍ଚବିଦ୍ୟାଳୟ,୧୯୫୮ରେ ପ୍ରତାପଶାସନ ଉଚ୍ଚବିଦ୍ୟାଳୟ, ବାଳକାଟି ହାଟ ନିର୍ମାଣ,୧୯୭୯ରେ ପ୍ରତାପଶାସନ ମହାବିଦ୍ୟାଳୟ,୧୯୯୦ରେ ପ୍ରତାପଶାସନ ଡ଼ିଗ୍ରୀ କଲେଜ ଇତ୍ୟାଦି ନିର୍ମାଣ କ୍ଷେତ୍ରରେ ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ରହିଥିଲା।ତାଙ୍କ ସହିତ ତାଙ୍କର ପୁତ୍ର ସନ୍ତୋଷ କୁମାର ମହାନ୍ତି,ପଣ୍ଡିତ ଗୋପୀନାଥ ନାୟକ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଡାକ୍ତର ଯୁଗୋଳ କିଶୋର ମହାନ୍ତି, ଆଦର୍ଶ ଶିକ୍ଷକ ଗୋପାଳ କିଶୋର ମହାନ୍ତି,ଶିକ୍ଷାବିତ ଭାଗ୍ୟଧର ମହାନ୍ତି,ଶିକ୍ଷାବିତ ପ୍ରହଲ୍ଲାଦ ମହାନ୍ତି,ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି,ବେଣୁଧର ଭୋଇ ପ୍ରଭୃତିଙ୍କର ନିଷ୍ଠା,ତ୍ୟାଗ ଓ କାର୍ଯ୍ୟଦକ୍ଷତା ବଳରେ ଆଜି ଆମର ଆଧୁନିକ ପ୍ରତାପଶାସନ ବାଳକାଟୀ ଗଠିତ ହୋଇଛି।ଏହି ପରିପ୍ରେକ୍ଷୀରେ ୦୨.୧୦.୨୦୨୫(ଗୁରୁବାର) ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମମାଟି ପ୍ରତାପଶାସନ ବାଳକାଟୀରେ ପାଳନ କରାଯିବା ଆମ୍ଭମାନଙ୍କୁ ଏକ ନିଆରା ଅନୁଭୁତି ଦେଉଛି।ତେଣୁ ସେହି ମହାନ୍ ଆତ୍ମା ରଜନୀତିଜ୍ଞ ଆଧ୍ୟାତ୍ମିକ ମଣିଷ ବାଳକାଟୀର ଆଲୋକ ବର୍ତିକା ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ବ୍ୟକ୍ତିତ୍ଵ ଏବଂ କାର୍ଯ୍ୟଧାରାକୁ ଆମେ ମିଳିତ ଭାବରେ ଆଉ କିଛି ବାଟ ଆଗେଇ ନେଇପାରିଲେ ତାଙ୍କର ଜନ୍ମଜୟନ୍ତୀ ସାର୍ଥକ ହେବ।
ବନ୍ଦେ ଉତ୍କଳ ଜନନୀ
ଜୟ ଜଗନ୍ନାଥ

ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି, ବସନ୍ତପେଡି ବାଳକାଟୀ