କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବୋର୍ଡ ଅଫ୍ ଗଭମେଣ୍ଟ ଆଇଆଇଟି ସଦସ୍ୟ ସତ୍ୟବ୍ରତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ, ବଡ଼ବିଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ମାଧବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ୧୯୪୮ ମସିହାରେ ସ୍ଥାପିତ ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଦ୍ୟାଳୟ ପରିସରରେ ଡ. ହରେକୃଷ୍ଣ ମହତାବ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହାପରେ ବର୍ଣ୍ଣାଢ଼୍ୟ ପରିବେଶରେ କେକ୍ କାଟି ହୀରକ ଜୟନ୍ତୀ ସମାରୋହର ଶୁଭ ଉଦଘାଟନ କରିଥିଲେ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର, ଅବସର ପ୍ରାପ୍ତ ଶିକ୍ଷକଙ୍କ ସମେତ ଚମ୍ପୁଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଏହି ସମାରୋହରେ ଯୋଗ ଦେଇଥିଲେ ।
ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ