ଚିଲିକା,୧୧।୫:ପ୍ରଖ୍ୟାତ ଚିତ୍ର ଶିଳ୍ପୀ, ସାରସ୍ୱତ ସାଧକ, ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ସ୍ଥପତି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ତଥା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନୃସିଂହ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଏବଂ ସଂପାଦକ ପବିତ୍ର କୁମାର ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ନାଚୁଣୀ ଗୋଦାବରୀଶ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ମୁଖ୍ୟ ଅତିଥି ,ବିଶ୍ଵ ମୁକ୍ତି ପତ୍ରିକାର ସଂପାଦକ ପ୍ରାଧ୍ୟାପକ କବି ଶଶାଙ୍କ ଶେଖର ଚୁଡ଼ାମଣି ମୁଖ୍ୟବକ୍ତା, ସ୍ମୃତି କମିଟିର ଉପସଭାପତି ତଥା ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ପଦ୍ମଶ୍ରୀମହାରଥୀଙ୍କ ବହୁମୁଖୀ ପ୍ରତିଭା ଉପରେ ସାରଗର୍ଭକ ବାକ୍ତବ୍ୟ ରଖି ଏଭଳି ଜଣେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ତାଙ୍କ ମାନସ ସନ୍ତାନ ଧଉଳି ପାହାଡ଼ର ଶାନ୍ତିସ୍ତୁପ ନିକଟରେ ସ୍ଥାପନ ସହିତ ଚିଲିକାର କଳିଯୁଗେଶ୍ୱର ପାହାଡ଼ ନିକଟରେ ତାଙ୍କ ନାମରେଏକ ସ୍ମାରକୀ ସଂଗ୍ରହାଳୟ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟସରକାରଙ୍କୁ ଅନୁରୋଧ କରି ତାଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶିକ୍ଷାବିତ୍ ଶିଶିର କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ,ସ୍ମୃତି କମିଟିର ଉପଦେଷ୍ଠା ଗୋଲକବିହାରୀ ପରୀଡ଼ା, ଆଡଭୋକେଟ ବିକ୍ରମ କେଶରୀ ମହାରଥୀ, ଆଡଭୋକେଟ ରବୀନ୍ଦ୍ରନାଥ ମାନସିଂ,ଶିକ୍ଷାବିତ ଲକ୍ଷ୍ମୀଧର ପ୍ରଧାନ , ଆନନ୍ଦ ଚନ୍ଦ୍ରସେନାପତି ,ଶଶିଭୂଷଣ ବରାଳ ,କେଦାରନାଥଦାସ, ସମାଜସେବୀ ବାମନଚରଣ ଦାସ, ଏକତା ପରିଷଦ ଟ୍ରଷ୍ଟର ପ୍ରମୁଖ ସଂଧ୍ୟା ଦେବୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବାହ୍ନରେ ବିଦ୍ୟାପୀଠ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଜନସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ନାଟ୍ୟ ଗୌରବ ମହେଶ୍ୱର ଜେନା ।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି