BIG BREAKING BALUGAON…
ଚିଲିକା,୧୪।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ପୂର୍ବ ପାର୍ଶ୍ଵରେ ଥିବା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମଧ୍ଯ ଭାଗରେ ଅବସ୍ଥିତ ଭଷରା ପାହାଡ ଦାଢରେ ଥିବା ନଳ ଘାସରେ ଆଜି ସକାଳ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ନିଆଁ ଲାଗି ବିସ୍ତୀର୍ଣ୍ଣ ଅଞ୍ଚଳରେ ଥିବା ନଳ ଘାସ ସମ୍ପୂର୍ଣ୍ଣ ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ସକାଳ ୯ଟା ବେଳକୁ ପାହାଡ ଦାଢରେ ଥିବା ଶୁଖିଲା ନଳ ଘାସରେ ହଠାତ୍ ନିଆଁ ଲାଗିଯାଇଥିଲା । ପବନ ବହୁଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲା। କଳା ଧୂଆଁର ଆସ୍ତରଣ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା। ଚିଲିକା ଏସିଆ ମହାଦେଶର ସର୍ବବୃହତ ଲବଣାକ୍ତ ହ୍ରଦ ଓ ବିଦେଶାଗତ ପକ୍ଷୀମାନଙ୍କର ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ନଳ ଘାସ ଏଠାକାର ପରିବେଶ ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିଆଁରେ ଅନେକ କ୍ଷୁଦ୍ର ଜୀବଜନ୍ତୁ, ସରୀସୃପ ଓ ପକ୍ଷୀଙ୍କ ବସା ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅସାବଧାନତା ନା କେହି ଜାଣିଶୁଣି ନିଆଁ ଲଗାଇଲା, ତାହା ତଦନ୍ତ ପରେ ଜଣାପଡ଼ିବ।ସ୍ଥାନୀୟ ବାସିନ୍ଦା କହିବା ମୁତାବକ’ପ୍ରତିବର୍ଷ ଖରା ଦିନେ ଏମିତି ନିଆଁ ଲାଗୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି