ବାଲିଅନ୍ତା: ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ପଞ୍ଚୁଦୋଳ ମେଳଣ କମିଟି, ପ୍ରତାପଶାସନ ପଞ୍ଚାୟତ ବାସୀ, ଚାରିଦେଶର ମୁରବୀଙ୍କ ମିଳିତ ସହଯୋଗରେ ରବିବାର ବିଳମ୍ବିତ ରାତିରେ ଜମିଛି ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ। ପ୍ରଥା ଓ ପରମ୍ପରା ଅନୁସାରେ ପ୍ରଥମେ ଏହି ମେଳଣର ଥାନପତି ତଥା ଚାରିଦେଶର ମୁରବୀ ବାବା ସ୍ଵପ୍ନେଶ୍ଵର ଦେବଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର, ବାବା ବାଲୁଙ୍କେଶ୍ୱର ଦେବ ଓ ଶ୍ରୀ ଦୋଳଗୋବିନ୍ଦ ଦେବଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟଘଣ୍ଟା, ଖୋଳକିର୍ତ୍ତନ ବଜାଇ ଏକ ବିରାଟ ଶୋଭାଯାତ୍ରାରେ ପଣସପାଟଣା, ମାହାଲସାହି, ଦୋପଟିସାହି, ରଙ୍ଗଣୀସାହି ଓ ବଜାର ଦେଇ ମେଳଣ ପଡିଆରେ ଥିବା ଆସ୍ଥାନରେ ବିରାଜମାନ ହୋଇଥିଲେ ।

ପରେ ଶ୍ରୀ ମଦନମୋହନ ଦେବ, ଅଠରଘରିଆ ସାହି, ମାହାଲସାହି, ପଣସପାଟଣା,ପ୍ରତାପଶାସନ, ବସନ୍ତପେଡି, ଦୋପଟିସାହି, ଅଶିଘର, ତିରିଶିଘର, ଚାରିମାଣିଆ, ନୁଆସାହି, ଗ୍ରାମର ଆରାଧ୍ୟ ଠାକୁରଙ୍କୁ ସୁସଜ୍ଜିତ ବିମାନ ଯୋଗେ ଶୋଭାଯାତ୍ରା ମାଧ୍ୟମରେ ଗାଁ ପରିକ୍ରମା କରି ମେଳଣ ପଡି ଆରେ ପହଞ୍ଚିଥିଲେ । ବିମାନ ସମ୍ମୁଖରେ ଆୟୋଜକ ମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ବ୍ୟାଣ୍ଡପାର୍ଟି, ଘୋଡା ନାଚ, ଷଣ୍ଢ ଲଢେଇ, ପାଣ୍ଡା, ଭାଲୁ, ଗରିଲା ଆଦି ଭଳି କି ଭଳି କଣ୍ଢେଇ ନାଚ ଦେଖେଣାହାରିଙ୍କୁ ବେଶ ପ୍ରଫୁଲିତ କରିଥିଲା ।

ସେହିପରି ଚଳିତବର୍ଷ ଦିଅଁ ୫ ଦିନ ରହିବା ପରେ ଆସନ୍ତା ୧୨ ତାରିଖ ଗୁରୁବାର ମଧ୍ୟ ରାତିରେ ପରମ୍ପରା ଅନୁସାରେ ଥାନପତି ବାବା ସ୍ଵପ୍ନେଶ୍ଵର ଦେବ ଓ ଶ୍ରୀ ମଦନମୋହନ ଦେବଙ୍କ ମଧ୍ୟରେ ହରିହର ଭେଟ ହେବା ସହ ଆତସବାଜୀ ପ୍ରଦର୍ଶନୀ କରାଯିବ । ଠାକୁରଙ୍କ ଏହି ଜମାଣକୁ ପଞ୍ଚାୟତ ଜନପ୍ରତିନିଧି ସହ ଚାରିଦେଶର ମୁରବୀ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବାଲିଅନ୍ତା ଓ ବାଳକାଟି ଫାଣ୍ଡି ପୁଲିସ ସମେତ ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ।