ଢେଙ୍କାନାଳ, ୨୭ା୧: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ, ସୋମବାର ସଡ଼କ ନିରାପତା ଉପରେ ଏକ ଦିବସୀୟ ଶିବିରର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତାଙ୍କ ପ୍ରତ୍ୟକ୍ଷ

ତତ୍ୱାବଧାନରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା, ଯାହା ସକାଳ ୯ ଘଟିକା ସମୟରେ ମହାବିଦ୍ୟାଳୟର ପରିସର ମଧ୍ୟରୁ ବାହାରି, ସହର ପରିକ୍ରମା କରିଥିଲା । ଏହାପରେ ସଡ଼କ ନିରାପତା ପରେ ଅଧିକ ଜ୍ଞାନ ଆହରଣ ପାଇଁ, ଏକ ପାଠଚକ୍ର ର ଆୟୋଜନ କରାଯାଇଥିଲା, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଏହି ଅବସରରେ ସ୍ୱାଗତ ଭାଷଣ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ଉପରେ ସ୍ୱେଚ୍ଛାସେବୀଙ୍କୁ ଆଲୋକପାତ କରାଇବା ସହ ମହାବିଦ୍ୟାଳୟର ଉଭୟ ଜାତୀୟ ସେବା ଯୋଜନା ଶାଖାକୁ ଏହିଭଳି ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଢେଙ୍କାନାଳର ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି “ସଡ଼କ ନିରାପତା”ର ବିଭିନ୍ନ ଦିଗ ଓ ନିୟମ ଉପରେ ସ୍ୱେଚ୍ଛାସେବୀଙ୍କୁ ଆଲୋକପାତ କରାଇଥିଲେ। ଦ୍ୱିତୀୟ ନିର୍ଘଂଟରେ ପରିବହନ କାର୍ଯ୍ୟାଳୟର ରକ୍ଷକ କାର୍ଯ୍ୟକ୍ରମର ପ୍ରଶିକ୍ଷକ ବରୁଣ ଚନ୍ଦ୍ର ମାଝୀ ସ୍ୱେଚ୍ଛାସେବୀଙ୍କୁ ସଡ଼କ ଦୁର୍ଘଟଣାରେ ଆହତଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସଡକ ଦୁର୍ଘଟଣାକୁ କିପରି ଏଡାଇ ଦିଆଯାଇପାରିବ ଏହା ଉପରେ ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ସମସ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ଆଗ୍ରହର ସହ ଗ୍ରହଣ କରିଥିଲେ। ସଡ଼କ ଦୁର୍ଘଟଣାକୁ କିପରି ଏଡାଯାଇପାରିବ ତାହା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ତନୁଜ କୁମାର ମହାପାତ୍ର ଓ ପ୍ରଦୀପ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ସଭା ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।