ବାଲିଅନ୍ତା,୨୦|୭(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆ ଠାରେ ଅବସ୍ଥାପିତ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ନୀତିକ୍ରାନ୍ତି ଅନୁସାରେ ପାଳନ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ପଞ୍ଚମ ଦିନ l ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଆସିଥିବା କଳାସାଆନ୍ତଙ୍କ ଉପରେ ରାଗିଯାଇଛନ୍ତି ଅଭିମାନିନୀ ମା’ଲକ୍ଷ୍ମୀ l ଯାହାକୁ ଆମ ଜଗନ୍ନାଥ ପରମ୍ପରାରେ ହେରାପଞ୍ଚମୀ କୁହାଯାଏ l

ଏନେଇ ଆଜି ପରମ୍ପରା ଅନୁସାରେ ସନ୍ଧ୍ୟା ଆଳତୀ ପରେ ରାତି ପ୍ରାୟ ସାଢେ ୯ ଟାରେ ମା’ଲକ୍ଷ୍ମୀ ସୁସଜ୍ଜିତ ବିମାନରେ ବିରାଟ ପଟୁଆରରେ ମାଉସୀ ଘର ବା ରଥିଜେମା ମା’ଭଗବତୀ ମନ୍ଦିରରେ ପହଞ୍ଚିଥିଲେ l ଏଠାରେ ପହଞ୍ଚିଲା ପରେ ପରମ୍ପରା ଅନୁସାରେ ପତିମହାପାତ୍ରଙ୍କ ଦ୍ୱାରା କର୍ପୁର ବନ୍ଦାପନା, ବଳିତା ବନ୍ଦାପନା ଆଦି କାର୍ଯ୍ୟ ସମ୍ପାଦନା ପରେ ଅଭିମାନିନୀ ମା’ ଲକ୍ଷ୍ମୀ ରଥ ଚକାକୁ ଭାଙ୍ଗିଥିଲେ l

ଶେଷରେ ସ୍ଵ ମନ୍ଦିରକୁ ପ୍ରସ୍ଥାନ କରିଥିଲେ ଶ୍ରୀଦେବୀ l ମହାପ୍ରଭୁଙ୍କ ଏହି କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ଏହି ପରମ୍ପରା ଦେଖିବା ପାଇଁ ମା’ ଭଗବତୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା l