ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ ସ୍ଥିତିରେ ଭାରତ। ଏପର୍ଯ୍ୟନ୍ତ ନାଗରିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଚାଷ ଓ ଚାଷୀର ଗୁରୁତ୍ବକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଚାଷୀଙ୍କ ଫସଲର ଉପଯୁକ୍ତ ଦାମ୍ ମିଳୁନି। ଭାଗଚାଷୀଙ୍କୁ ସହାୟତା ମିଳୁନି କିମ୍ବା ଚାଷ ଜମିକୁ ପାଣି ନାହିଁ। ଏସବୁ ପ୍ରତି ଦୃଷ୍ଟି ଦେବା ବଦଳରେ ଶାସନତନ୍ତ୍ର ସୀମିତ ସମ୍ବଳ ଭାବେ ରହିଥିବା ଖଣି ଖୋଳି ଦେଶର ଜିଡିପି ବଢ଼ାଇବାରେ ବ୍ୟସ୍ତ। ଜିଡିପି ପ୍ରତି ମାତ୍ର ୧୮ % ଅବଦାନ ଦେଉଥିବାରୁ କୃଷିକୁ ଶାସନ ବ୍ୟବସ୍ଥାରେ ପ୍ରାଧାନ୍ୟ ମିଳୁନାହିଁ। କିନ୍ତୁ ଭୁଲି ଯିବା ଉଚିତ୍ ନୁହେଁ ଯେ କୃଷି ହିଁ ଆମ ଅର୍ଥନୀତିର ମେରୁଦଣ୍ଡ। ବୈଜ୍ଞାନିକ ଓ ରାଜନେତା ଏ ଦିଗପ୍ରତି ଦୃଷ୍ଟି ଦେବା ସହ ଅନ୍ନଦାତାଙ୍କୁ କିପରି ଉଚିତ ସମ୍ମାନ ମିଳିବ ସେଥିପ୍ରତି ବ୍ୟବସ୍ଥା କରିବା ଉଚିତ। ମୁଖ୍ୟତଃ କୃଷି ଗବେଷଣାର ନବ ଉନ୍ମେଷ ସହ କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ ସ୍ମୃତିସଭା ଏବଂ ‘କୃଷି ମହାବିଦ୍ୟାଳୟ: ଜଣେ ଛାତ୍ରର ସ୍ମୃତି’ ପୁସ୍ତକ ଉନ୍ମୋଚନ ଉତ୍ସବରେ ସୁବନ ଖୁଣ୍ଟିଆ ଚତୁର୍ଥ ସ୍ମାରକୀ ବତ୍କୃତା ପ୍ରଦାନ କରି ଏହି କହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ। ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ସଭାପତିତ୍ବ କରି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, କୃଷି ଉପରେ ନିର୍ଭରଶୀଳତା କମି କମି ଯାଉଛି। କୃଷକ ପ୍ରତି ଯେମିତି ସମ୍ମାନ ଓ ସୁବିଧା ମିଳିବା କଥା ତାହା ମିଳୁନାହିଁ। କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କୁ ସ୍ମରଣ କରିବା ସହ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ଚାଷ ଓ ଚାଷୀଙ୍କୁ ବିକଶିତ କରିବାର ମାନସିକତା ସୃଷ୍ଟି ହେବା ଉଚିତ। ଏହି ଅବସରରେ ବିଶିଷ୍ଟ ଲେଖକ ନଟବର ଖୁଣ୍ଟିଆଙ୍କ ପୁସ୍ତକ ‘କୃଷି ମହାବିଦ୍ୟାଳୟ: ଜଣେ ଛାତ୍ରର ସ୍ମୃତି’ ପୁସ୍ତକକୁ ଅତିଥିମାନେ ପାଠକାର୍ପିତ କରିଥିଲେ। କୃଷି ବିଜ୍ଞାନୀ ଡଃ ତ୍ରିନାଥ ମହାରଣା ପୁସ୍ତକ ସମୀକ୍ଷା କରି ପାଠପଢ଼ା ସମୟର କୃଷି ମହାବିଦ୍ୟାଳୟର ସ୍ମୃତିକୁ ରୋମନ୍ଥନ କରିଥିଲେ। କୃଷି ବିଜ୍ଞାନି ଡଃ ଜାଫ୍ରାନ କେଶରୀ ରାୟ ଅଧିକ ଅମଳକ୍ଷମ ଧାନ ଓ ଦେଶୀ ଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଲେଖକ ଶ୍ରୀ ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେବା ସହ ଜେଜେବାପା ସୁବନ ଖୁଣ୍ଟିଆଙ୍କ ଦେଶ ପ୍ରତି ଥିବା ଅଙ୍ଗିକାରବଦ୍ଧତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଗୋବିନ୍ଦ ଭୂୟାଁ ଅତିଥିଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କୃଷି ଗବେଷକ ଡଃ ସତ୍ୟରଂଜନ ଦାସ, ଆଦର୍ଶ ମହିଳା ଚାଷୀ ନମଜିନୀ ମଲ୍ଲିକ ଓ ଆଦର୍ଶ ଧାନ ଚାଷୀ ତ୍ରିଲୋଚନ ପରିଡ଼ାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡଃ ସରୋଜିନୀ ପାଣି, ଆକାଶ ଭୂୟାଁ ଓ ଡଃ ଶରତ ଚନ୍ଦ୍ର ପରିଡ଼ା ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନର ଆବାହକ ଜଗଦୀଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page