ଦାରିଙ୍ଗବାଡି : ତା: ୧୪/୨: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନଲାଇନ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି , ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ନ କଲେ ହିତାଧିକାରୀ ମାନେ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ଏଣୁ ଯୋଗ୍ୟ ହିତାଧିକାରୀ ମାନେ ନିଜକୁ ଆବାସ ଯୋଜନା ରେ ସାମିଲ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ବାଧକ ସାଜୁଛି ନେଟୱର୍କ । ଅଧିକାରୀ ମାନେ ନିଜ ନିଜ ପଞ୍ଚାୟତ ରେ ରହି ସର୍ଭେ କାର୍ଯ୍ୟ କରି ପାରୁ ନଥିବା ବେଳେ ସମସ୍ୟା ରେ ପଡୁଛନ୍ତି ଉଭୟ ହିତାଧିକାରୀ ଓ ଅଧିକାରୀ। ନେଟୱର୍କ ଖୋଜି ଖୋଜି ୮ରୁ ୧୦କିମି ଯାଇ ଏହି ସର୍ଭେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ।

ଉକ୍ତ ଥାନା ଅଞ୍ଚଳ ର ମେରା ମାହା ଛକ ନିକଟ ରାସ୍ତା କଡ଼ରେ ସକାଳ ପ୍ରାୟ ୯ଟା ରୁ ଅଚାନକ ଭିଡ଼ ଜମିଥିବା ଦେଖିବାକୁ ମିଳି ଥିଲା, ପଚରା ଉଚରା କରିବାରୁ ଜଣା ପଡିଲା କି ଆବାସ ଯୋଜନା ର ସର୍ଭେ କାର୍ଯ୍ୟ ପାଇଁ ଏହି ଭିଡ଼ ଜମିଛି। ସୂଚନା ଯୋଗ୍ୟ ଯେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ରେ ମୋବାଇଲ ଟାୱାର ଠିଆ ହୋଇଛି, ହେଲେ ଇଣ୍ଟର୍ନେଟ୍ କାମ କରୁନାହିଁ। ଏଣୁ ଆଜି ତାଜୁଙ୍ଗିଆ ପଞ୍ଚାୟତ ର ମହାଗୁଡ଼ି ଓ ସିକରମାହା ଓ ଗଦାପୁର ପଞ୍ଚାୟତ ବାସୀ ମେରାମାହା ଛକ ନିକଟରେ ଇଣ୍ଟର୍ନେଟ୍ ଖୋଜି ଆବାସ ଯୋଜନା ସର୍ଭେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ନେଟୱର୍କ ନଥିବାରୁ ଅନେକ ସରକାରୀ ବେସରକାରୀ କାର୍ଯ୍ୟ କ୍ଷେତ୍ର ରେ ବାଧା ସୃଷ୍ଠି ହେଉଛି। ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲାଣି ଦାରିଙ୍ଗବାଡି ରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ବି ଏସ ଏନ୍ ଏଲ ର କେବୁ ଲ ସଂଯୋଗ ହୋଇପାରୁ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ଜନସାଧାରଣ ଦାବୀ କରିଛନ୍ତି।