ଭୁବନେଶ୍ୱର: ଓଡ଼ିଶାର ପ୍ରାକ୍ତନ କଂଗ୍ରେସ ନେତା,ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ତଥା ଏକାଧିକ ଥର ବିଭିନ୍ନ ବିଭାଗରେ ମନ୍ତ୍ରୀ, ଦରଦୀ ହୃଦୟର ବ୍ୟକ୍ତିତ୍ୱ ସ୍ବର୍ଗତଃ ବସନ୍ତ ବିଶ୍ବାଳଙ୍କ ୨୨: ତମ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମାଜିକ କର୍ମୀ, ଲେଖକ ତଥା ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶ୍ବାଳଙ୍କର ଓଡ଼ିଶା ପ୍ରତି ଥିବା ମହାନ୍ ଅବଦାନର ସ୍ମୃତିଚାରଣ କରିଥିଲେ। ବାରମ୍ବାର ବନ୍ୟା ଓ ବାତ୍ୟା ପରିସ୍ଥିତିରେ ରାଜ୍ୟର ଆର୍ଥିକ ପରିସ୍ଥିତି ଶୋଚନୀୟ ହେବା ପରିପ୍ରେକ୍ଷୀରେ ବସନ୍ତ ବାବୁ କିପରି ଓଡ଼ିଶାର ଆର୍ଥିକ ଉନ୍ନତି ସକାଶେ ସ୍ବତନ୍ତ୍ର ଯୋଜନା ମାନ କରିଥିଲେ ତାହା ଉପସ୍ଥାପିତ କରିଥିଲେ। କୃଷି, କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବା ସହିତ, ସାମ୍ବାଦିକତା, ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ଶ୍ରୀ ଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ lବସନ୍ତ ନଥିଲେ ଓଡ଼ିଶାରେ ଅର୍ଥନୈତିକ ମଳୟ ପବନ ହୁଏତ ପ୍ରବାହିତ ହୋଇ ନଥାନ୍ତା ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ବାରା ଲିଖିତ ପୁସ୍ତକ ‘ ବୁଦ୍ଧ ସଙ୍ଗରେ ୪୦ ବର୍ଷ ‘ ଉନ୍ମୋଚିତ ହୋଇଥିଲା। ପୁସ୍ତକକୁ ସମ୍ମାନ ଜଣାଇ ଏହାର ପ୍ରଥମ ଖଣ୍ଡକୁ ପ୍ରଥମ ଗ୍ରାହକ ଭାବରେ ଓଡ଼ିଶାର ବରିଷ୍ଠ ସମାଜସେବୀ ତଥା ପତ୍ରକାର କ୍ରାନ୍ତି କୁମାର ସାକସେନା ସଭା ମଂଚରେ କ୍ରୟ କରିଥିଲେ। ନାରାୟଣ ଜେନା ଅତିଥି

ପରିଚୟ ପ୍ରଦାନ କରିଥିବା ବେଳେ ମାନସ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିଲେ।ସମୟ ସମ୍ବାଦପତ୍ରର ମୁଖ୍ୟ ସଂପାଦକ ଗୁରୁ କଲ୍ୟାଣ ମହାପାତ୍ର ସଭାର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ଅତିଥି ମଂଚରେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ସଭାର ଶୋଭା ବର୍ଦ୍ଧନ କରିବା ସହିତ ବସନ୍ତ ବାବୁଙ୍କ ସହିତ ମିଶି କାମ କରିବାର ବିରଳ ଅନୁଭୂତି ସବୁ ବର୍ଣ୍ଣନା କରିଥିଲେ। ସମୟ ପ୍ରକାଶକ ସତ୍ୟ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରତିଭାବାନ ଛାତ୍ରଛାତ୍ରୀ ତଥା ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଚନ୍ଦନ କୁମାର ମହନ୍ତ, ଦେବେନ୍ଦ୍ର ଖମାରୀ,ସୁଶୀଲ କୁମାର ନାୟକ,ବିନୀତ ମହାନ୍ତି, ସ୍ବଣ୍ଣରେଖା ମନ୍ତ୍ରୀ, ପଦ୍ମଚରଣ ନାୟକ, ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଲେଖକ ପ୍ରସନ୍ନ ମିଶ୍ର, ଶିକ୍ଷାବିତ୍ ମନୋରମା ବିଶ୍ଵାଳ ମହାପାତ୍ର, ଅମୀୟ କୁମାର ମଲ୍ଲିକ ପ୍ରମୁଖ। ବହୁ ଦିନ ପରେ ଏପରି ଏକ ସଫଳ ସଭାର ଆୟୋଜନ ହୋଇଥିଲା ଓ ସଭାଗୃହ ଭରପୁର ଥିଲା।