ଗ୍ରାହକଙ୍କୁ ବିଲ୍ ନ ଦେବାରୁ ଦୋକାନୀ ଦେଲା ୧ ଲକ୍ଷ ଟଙ୍କା ଜରିମାନା

କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- ଗ୍ରାହକଙ୍କୁ ବିଲ୍ ନ ଦେବା ଏକ ଦୋକାନ ପାଇଁ ମହଙ୍ଗା ପଡିଛି । କଳାହାଣ୍ଡି ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ (ଖାଉଟି ଅଦାଲତ)ରେ ଉକ୍ତ ଦୋକାନ ଦଣ୍ଡିତ ହୋଇଛି। ଶହେ ଟଙ୍କାର ସାମଗ୍ରୀ ପାଇଁ ଦୋକାନୀଙ୍କୁ ୧ ଲକ୍ଷ ଜରିମାନା ପ୍ରଦାନ ଭଳି ଏକ ଗୁରୁତ୍ବପୂର୍ଣ ରାୟ ଦେଇ କମିଶନ ଉପଭୋକ୍ତା ଅଧିକାର ସୁରକ୍ଷାରେ ଦୃଢ଼ ସନ୍ଦେଶ ଦେଇଛନ୍ତି। ଖଡିଆଳ ନିବାସୀ ଦୀପକ କୁମାର ଦୁବେ ଭବାନୀପାଟଣାର ଜ୍ୟୋତି କଲେକ୍ସନ ଦୋକାନରୁ ୧୦୦ ଟଙ୍କାର ଡିଗ୍ରି ସ୍କଟ ଗଞ୍ଜି କିଣିଥିଲେ। କିନ୍ତୁ ଦୋକାନ ପକ୍ଷରୁ ବିଲ ଦେବାକୁ ଅସ୍ବୀକାର କରାଯାଇଥିବାରୁ ସେ ଉପଭୋକ୍ତା କମିଶନରେ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି ସମୟରେ
ଦୋକାନ ପକ୍ଷ ଦାବି କରିଥିଲେ ଯେ, ବିଲ ତିଆରି ହୋଇଥିଲା, କିନ୍ତୁ ଭିଡ଼ ହେତୁ ବିଳମ୍ବ ହୋଇଥିଲା। ତେବେ କମିଶନର ଅଶ୍ୱିନୀ କୁମାର ପାତ୍ର ମାମଲାର ବିଚାର ସମୟରେ ଦେଖିଥିଲେ ଯେ, ପ୍ରଦାନ କରାଯାଇଥିବା ବିଲ୍ ଓ ରେକର୍ଡ ଠିକ ନୁହେଁ, ପରେ ତିଆରି କରାଯାଇଥିବା ପ୍ରମାଣ ଭଳି ଲାଗୁଛି। କମିଶନ ମତ ଦେଇଛନ୍ତି ଯେ, ବିଲ ନ ଦେବା ଅନ୍ୟାୟ ବ୍ୟବସାୟ ପ୍ରଚଳନ ଏବଂ ସେବାର ତୃଟି ଭିତରେ ପଡ଼େ, ଯାହାକି ଉପଭୋକ୍ତାଙ୍କ ଅଧିକାରକୁ ଉଲଂଘନ କରେ। ତେଣୁ କମିଶନର ପାତ୍ର ଏହି ମାମଲାର ବିଚାର କରି ଦୋକାନୀଙ୍କୁ ୧୫ ଦିନ ମଧ୍ୟରେ ଉପଭୋକ୍ତାଙ୍କୁ ଠିକ ଜିଏସ୍‌ଟି ବିଲ୍ ଦେବା ସହ ଉପଭୋକ୍ତାଙ୍କୁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦୋକାନୀ ଉପଭୋକ୍ତାଙ୍କୁ ୫,୦୦୦ ଟଙ୍କା ମାମଲା ଖର୍ଚ୍ଚ ଓ ଅତିରିକ୍ତ ଭାବେ ୧ଲକ୍ଷ ଟଙ୍କା ଓଡିଶା ରାଜ୍ୟ ଖାଉଟି ଉପଭୋକ୍ତା ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page