ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ୨୦୨୦ ନିର୍ବାଚନରେ ସେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ହାରିଯାଇଥିଲେ। ଚଳିତ ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ୍‌ଙ୍କୁ ପରାଜିତ କରି ଟ୍ରମ୍ପ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ଟ୍ରମ୍ପ ଆମେରିକୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ପ୍ରତ୍ୟେକ ଆମେରିକୀୟ ପରିବାରର କଲ୍ୟାଣ ପାଇଁ ମୁଁ ଅହରହ କାମ କରିବି ଏବଂ ଏଥିପାଇଁ ଈଶ୍ୱର ମୋ ଜୀବନ ରକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନ୍ସିଲଭାନିଆରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀର ଏକ ଗୁଳି ତାଙ୍କ କାନକୁ ଛୁଇଁଥିଲା ଏବଂ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଡୋନାଲ୍ଡ ଟ୍ରମ୍ପ ସଂଖ୍ୟା ୨୭୦ ଛୁଇଁବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଥିଲା ଏବଂ ବିଶ୍ୱ ନେତାମାନେ ଟ୍ରମ୍ପଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଟ୍ରମ୍ପଙ୍କ ଦଳକୁ ୨୯୪ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ କମଳା ହାରିସ୍‌ଙ୍କ ଦଳକୁ ୨୨୩ ଭୋଟ୍ ମିଳିଛି। ବିଜୟ ସୁନିଶ୍ଚିତ ହେବାପରେ ୭୮ ବର୍ଷୀୟ ଟ୍ରମ୍ପ ତାଙ୍କ ପରିବାର ସହ ଫ୍ଲୋରିଡାରେ ଆୟୋଜିତ ବିଜୟ ସମାବେଶ ମଞ୍ଚରେ ପହଞ୍ଚି ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ। ବିଜୟ ଭାଷଣରେ ଟ୍ରମ୍ପ କହିଛନ୍ତି ଯେ ମୋ ଶରୀରର ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ମୁଁ ଆପଣଙ୍କ ପାଇଁ କାମ ଜାରି ରଖିବି। ଆମେ ମିଳିମିଶି ଆମେରିକାକୁ ପୁଣି ଥରେ ମହାନ କରିବା ବୋଲି ଟ୍ରମ୍ପ କହିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News