ଚିଲିକା,୧୬।୨: ଦୀର୍ଘ ୫୪ ବର୍ଷ ପରେ ବାଣପୁର ମଣ୍ତଳ ର ଭୀମପୁର ଗାଁର ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ପାଇଁ ମାନ୍ୟବର ମନ୍ତ୍ରୀ ପୂର୍ତ୍ତି, ଅବକାରୀ ଓ ଆଇନ ବିଭାଗ ପୃଥ୍ଵୀରାଜ ହରିଚନ୍ଦନ ଶିଳାନ୍ୟାସ କରିଛନ୍ତି I ପ୍ରାଚୀନ ବଙ୍କାଡ଼ଗଡ଼ର ମାନସିଂହ ବଂଶର ରାଜା ଙ୍କ ଦ୍ଵାରା ସାମନ୍ତରାୟପୁର ଓ ନରହରିପୁର ଦୁଇ ବ୍ରାହ୍ମଣ ଶାସନର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥଦେବ, ସ୍ଵପ୍ନେଶ୍ଵରଦେବ, ଝାଡେଶ୍ଵରଦେଵ, ମା’କନକ ଦୁର୍ଗା ଓ ଅନନ୍ତ ସ୍ୱାମୀ ମଠଠାକୁରଙ୍କ ଚନ୍ଦନ ଓ ଚାପଯାତ୍ରା ନିମନ୍ତେ ଖନନ କରାଯାଇଥିବା ଏହି ପ୍ରାଚୀନ ପୁଷ୍କରିଣୀ ବହୁବର୍ଷ ଧରି ପୁନରୁଦ୍ଧାର ହୋଇପାରିନଥିବାରୁ ଏହା ପଙ୍କପୂର୍ଣ୍ଣ ଓ ଅବ୍ୟବହୃତ ପୂତି ଗନ୍ଧ ଅବସ୍ଥାରେ ପଡ଼ିଥିଲା । ଗ୍ରାମବାସୀମାନେ ସ୍ନାନଶୌଚ଼ ପାଇଁ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପରିଶେଷରେ ଗାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, ଯୁବନେତା ସନ୍ତୋଷ ଚୌଧୁରୀ ଓ

ଭୀମପୁର ଗ୍ରାମବାସୀଙ୍କ ଅନୁରୋଧକ୍ରମେ ମାନ୍ୟବରମନ୍ତ୍ରୀ ହରିଚନ୍ଦନ ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୫ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ସହିତ ଗ୍ରାମର ଶେଷ ଭାଗରେ ପ୍ରବାହିତ କଂସାରୀ ନଈ ଉପରେ ଏକ ସେତୁ, ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ, ବାନାମ୍ବର ଏକାଡ଼େମୀରେ +୨ ଶିକ୍ଷା ଆରମ୍ଭ ସହିତ କ୍ରୀଡ଼ା ଷ୍ଟାଡିୟମ୍ ଓ ପଣ୍ଡିତ ଗୋଦାବରୀଶମିଶ୍ରଙ୍କ ବାଲ୍ୟଶିକ୍ଷା ସ୍ଥଳୀ ଭୀମପୁର ପ୍ରାଥମିକ ବିଦ୍ୟାଳୟରରେ ପଣ୍ଡିତ ମିଶ୍ରଙ୍କସ୍କୃତି ସଂଗ୍ରହାଳୟ ପରି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବାର ପ୍ରତିଶୃତି ଘୋଷଣା କରିଥିଲେ । ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ମଣ୍ଡଳ ପ୍ରତିନିଧି ଜିତେନ୍ଦ୍ର ଭୋଳ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ବିଭୁତି ଭୂଷଣ ନନ୍ଦ, ବାଳମୁକୁନ୍ଦ ଦାସ, ଭେଟିନାଥ ଜେନା, ପ୍ରଶାନ୍ତ କାଣ୍ଡି, ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଗ୍ରାମର ବିଭିନ୍ନ ମହିଳା ସଂଗଠନ ଓ ଗ୍ରାମବାସୀ ମାନେ ଯୋଗଦେଇଥିଲେ । ଶେଷରେ ସାମନ୍ତରାପୁରର ଆରାଧ୍ଯ ଠାକୁରଗୋପୀନାଥ ଦେବଙ୍କ ମନ୍ଦିର ପରିଦର୍ଶନ କରି ମନ୍ଦିରର ଉନ୍ନତିକରଣ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇ ଗ୍ରାମର ସମାଜସେବୀ ଦିବଙ୍ଗତ ଝାଡ଼େଶ୍ଵର ପ୍ରଧାନଙ୍କ ଅକାଳ ବିୟୋଗରେ ମନ୍ତ୍ରୀ ହରିଚନ୍ଦନ ତାଙ୍କ ଘରକୁ ଯାଇ ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।