ମହାସମାରୋହରେ ଉଦଯାପିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

ବାଲୁଗାଁ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଦୀର୍ଘ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଆଜି ସକାଳେ କାଳିଜାଇ ମୋଟର ବୋଟ୍ ଆସୋସିଏସନ୍ ପକ୍ଷରୁ ଆତସବାଜିରେ ଚିଲିକା କୂଳ ପରିବେଶ ଉଲ୍ଲସିତ ହୋଇ ଉଠିଥିଲା। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭାଇ-ଭଉଣୀମାନେ ସାଧବ ପୁଅ ଓ ବୋହୂ ସାଜି ପାରମ୍ପରିକ ବୋଇତ ବନ୍ଦାଣ ସମ୍ପାଦନ କରି ସୁସଜ୍ଜିତ ବୋଇତରେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ଦର୍ଶନ କରି ଫେରିଥିଲେ। ଅପରାହ୍ନରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ଏନ୍‌ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ଉଦଯାପନୀ ଉତ୍ସବ ପାଳିତ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ-ଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ବିଶ୍ୱ ମୁକ୍ତି ସମ୍ପାଦକ ଡା. ଶଶାଙ୍କ ଚୂଡ଼ାମଣି, ବାଲୁଗାଁ ଏନ୍‌ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, କମିଟି କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ହରିଚନ୍ଦନ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠୀ, କଲେଜ ଅଧ୍ୟକ୍ଷ ଡା. ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଚିଲିକାର ବୈଭବ, ବିବିଧତା, ପୁନରୁଦ୍ଧାର, ନୌବିହାରରେ ବାଣିଜ୍ୟିକ ଦକ୍ଷତା, ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନରେ ସମସ୍ତେ ଆଗଭର ହେବା ନେଇ ଅଭିଭାଷଣ ରଖିଥିଲେ। ଉତ୍କଳୀୟ ପର୍ବ ପାଳନରେ ସାରା ପୃଥିବୀରେ ଓଡ଼ିଆମାନଙ୍କ ଅବଦାନ ଭଳି ଚିଲିକା ବୋଇତ ବନ୍ଦାଣ ମହୋତ୍ସବକୁ ଏ ଅଞ୍ଚଳ ପାଳନ କରୁଥିବାରୁ ଆମକୁ ଗର୍ବ ଅନୁଭବ ହେଉଥିବା ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ।

ପୂର୍ବଜମାନେ ଚିଲିକାର ଜଳରାଶିରେ ନୌବାଣିଜ୍ୟ କରିବା ସହ ଦେଶ-ବିଦେଶରେ ଚିଲିକାର ଗାରିମା ବୃଦ୍ଧି କରିଛନ୍ତି। ସେହି ସାଧବମାନଙ୍କ ସ୍ମୃତିରେ ୧୯୯୧ ମସିହାରୁ ଚିଲିକାରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇ ଆସୁଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଚିଲିକା ପୁନରୁଦ୍ଧାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ସମଗ୍ର ଭାରତବର୍ଷରେ ଚିଲିକାକୁ ଏକ ନୂତନ ଦିଗନ୍ତ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ବାଣିଜ୍ୟିକ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ଚିଲିକା ପ୍ରସିଦ୍ଧ। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାର ଏକ ପରମ୍ପରା ହୋଇଥିବା ବେଳେ ଏ ଅଞ୍ଚଳର ଚିଲିକା ହେଉଛି ଏକ ପ୍ରମୁଖ ବ୍ୟବସାୟ କ୍ଷେତ୍ର। ଯାହାଦ୍ୱାରା ବହୁ ଲୋକ ଜୀବନ ଜୀବିକା ନିର୍ବାହ କରିବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟିକ ମୃତ୍ୟୁଞ୍ଜୟ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଖୋର୍ଦ୍ଧା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ। ମହୋତ୍ସବ କମିଟି ସଭାପତି ଦୁଷ୍ମନ୍ତ ହରିଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଗହଣରେ ସ୍ମରଣିକା “ଚିଲିକା ବୋଇତ ବନ୍ଦାଣ-୨୦୨୬” ଉନ୍ମୋଚନ କରାଯାଇଥିଲା। ସଭା ପରେ ବର୍ଣାଳୀ ହୋତା ଓ ଗ୍ରୁପ୍ ଅରକେଷ୍ଟ୍ରା ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବାଲୁଗାଁ କଲେଜର ଏନ୍‌ସିସି, ଏନ୍‌ଏସ୍‌ଏସ୍ କ୍ୟାଡେଟ୍ ଓ ମହୋତ୍ସବ କମିଟି ସଦସ୍ୟମାନେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page