ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ ଉଦଯାପନୀ ସନ୍ଧ୍ୟା
ଉଦଯାପିତ ବାଲିଅନ୍ତା,୨୮|୧୨: ହୀରାପୁର ଗ୍ରାମ୍ୟକମିଟି ଓ ୬୪ ଯୋଗିନୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଅଷ୍ଟାଦଶ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା l ଆଜି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଆଜିର ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଥିଲା ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ପୁରୀ ଜିଲ୍ଲାର ଫେଟ ଫାଇଟର କଳାକାର ମାନେ

‘ମାଲଖମ୍ବ ‘ ଭଳି ସମରକଳା ପ୍ରଦର୍ଶନ କରିଥିଲେ l ଏଥିରେ ଶିଳ୍ପୀ ମାନଙ୍କ ଦ୍ୱାରା ଶିବ ଶ୍ରୁତି ଓ ଗଣେଶ ବନ୍ଦନା ପ୍ରଦର୍ଶନ ବେଶ ଉଚ୍ଚକୋଟିର ଥିଲା l ଗୋଟାକ ପରେ ଗୋଟାଏ ସମରକଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖିଥିଲା l ପରେ ପରେ ଜଗତସିଂହପୁର ଝଙ୍କଡ ସାରଳାରୁ ଆସିଥିବା ‘ସାରଳା ଘଟନୃତ୍ୟ’ ର କଳାକାର ମାନେ ପାରମ୍ପରିକ ଘଣ୍ଟନାଦରେ ମା’ଙ୍କୁ ଆବାହନ କରିଥିଲେ l ରଣପା ନୃତ୍ୟ, କଳକି ନୃତ୍ୟ, ଝଙ୍କଡ଼ବାସିନୀ ଦୁସ୍ଥବିନାଶିନୀ ଗୀତର ତାଳେ ତାଳେ ମସଗୁଲ ଥିଲେ ସମବେତ ଦର୍ଶକ l ଗୁରୁ ଭୋଳାନାଥ ରାଉଳଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ରମାକାନ୍ତ ରାଉଳଙ୍କ ସଙ୍ଗୀତ ରଚନାରେ ଶିଳ୍ପୀ ମାନଙ୍କ ନୃତ୍ୟଅଭିନୟ ଅତି ଚମତ୍କାର ଥିଲା l ଉଦଯାପନୀ ସନ୍ଧ୍ୟାର ତୃତୀୟା ର୍ଦ୍ଧରେ ପୁରୀ ଜିଲ୍ଲା ବ୍ରହ୍ମଗିରୀରୁ ଆସିଥିବା ମନେଇ ସାହୁ ନୃତ୍ୟାନୁଷ୍ଠାନର କଳାକାର ଗୁରୁ ସ୍ମୃତିମୟୀ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା l ଏଥିରେ ସେମାନେ ଡାଲଖାଇ, ରସକେଳି ନୃତ୍ୟର ତାଳେ ତାଳେ ଦର୍ଶକଙ୍କୁ ଝୁମାଇଥିଲେ l ଶେଷରେ ଧନୁଷ ଅର୍କେଷ୍ଟ୍ରାର କଣ୍ଠଶିଳ୍ପୀଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଉଦଯାପନୀ ସନ୍ଧ୍ୟା ରେ ଗ୍ରାମ୍ୟ କମିଟି ଓ ମହୋତ୍ସବ କମିଟି ତରଫରୁ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମାଣି, ବାଲିପାଟଣା ବ୍ଲକ ସଭାପତି କିଶୋର ଜେନା, ବିଜେଡି ନେତା ଦିଲ୍ଲୀପ ମାର୍ଥା , ମାନସ ନାୟକ, ପ୍ରତାପଶାସନ ସରପଞ୍ଚ ରୀନାରାଣୀ ବେହେରା, ପୁରୋହିତପୁର ପଞ୍ଚାୟତ ସରପଞ୍ଚ ଭଗବାନ ବେହେରା, ପୂରଣପ୍ରଧାନ ସରପଞ୍ଚ ଦୁର୍ଯ୍ୟଧନ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ପାତ୍ର, ପ୍ରମୁଖ ଉପସ୍ଥିତ ଥିବା ବେଳେ ମହାମାୟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ତ୍ରିନାଥ ପରିଡା, ହୀରାପୁର ଗ୍ରାମ୍ୟ କମିଟି ସଭାପତି ରବୀନ୍ଦ୍ରନାଥ ନାୟକ, ସମ୍ପାଦକ ବନମାଳୀ ଦାସ, ମହୋତ୍ସବର ସଭାପତି ସୁକାନ୍ତ କୁମାର ସାହୁ, ଉପସଭାପତି ଅଶୋକ କୁମାର ଜେନା, ସମ୍ପାଦକ କାଳୁ ଚରଣ ଦାସ ସମେତ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ l